ପ୍ରଦୂଷଣରେ କଲବଲ ଜୀବନ:କ୍ରଶର ବନ୍ଦ ଦାବି କଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୦।୧୨

ଢେଙ୍କାନାଳ ସହର ଉପକଣ୍ଠ ଯତନନଗର ଅଞ୍ଚଳରେ ଥିବା କ୍ରଶର ୟୁନିଟ୍‌ ବନ୍ଦ ଦାବିରେ ସୋମବାର ମଧୁସୂଦନ ଆବାସିକ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ଉକ୍ତ କ୍ରଶର ୟୁନିଟ୍‌ଟି ମଧୁସୂଦନ ଆବାସିକ ଉଚ୍ଚବିଦ୍ୟାଳୟ ନିକଟରେ ରହିଛି। ଏହାଯୋଗୁ ପ୍ରବଳମାତ୍ରାରେ ପଥର ଗୁଣ୍ଡ ଉଡୁଛି। ଏହାର ପ୍ରଭାବ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ପିଲାମାନେ ସ୍କୁଲକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ଧୂଳି ଉଠିବା ଯୋଗୁ କୂଅ, ପୋଖରୀ ପାଣି ପ୍ରଦୂଷିତ ହେଉଛି। ଚାଷ ଜମି ନଷ୍ଟ ହେଉଛି। ଅଞ୍ଚଳବାସୀ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କ୍ରଶର ୟୁନିଟରେ ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘର କାନ୍ଥ, ଛାତ ଫାଟି ଅଁା କରିଛି। ପଥର ଚାଲାଣ ପାଇଁ ଶତାଧିକ ଭାରିଯାନ ଚଳାଚଳ କରୁଥିବାରୁ ସିମିଳିଆ ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ତୁରନ୍ତ ବନ୍ଦ କରିବାକୁ ସ୍କୁଲର ଛାତ୍ରୀଛାତ୍ର, ଅବିଭାବକଙ୍କ ସମେତ ନିକଟ ଗ୍ରାମର ବାସିନ୍ଦା ପ୍ଲାକାର୍ଡ ଧରି କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ଅଞ୍ଚଳବାସୀ, ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ନଜର ରଖି ଏଥିପ୍ରତି ତ୍ୱରିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହା ନ ହେଲେ ପୁଞ୍ଜୀଭୂତ ଅସନ୍ତୋଷ ଜନଆନ୍ଦୋଳନର ରୂପ ନେବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।