‘ପ୍ରଦୀପ୍ତଙ୍କୁ ମିଥ୍ୟା ମକଦ୍ଦମାରେ ଫସାଯାଇଛି’

ପୁରୀ ଅଫିସ,୭ା୩: ପାରା ଗୁଳିକାଣ୍ଡରେ ମାଟିଆପଡ଼ା ସିଦ୍ଧମହାବୀର ରେଲୱେ ଓଭରବ୍ରିଜ କ୍ଷତିଗ୍ରସ୍ତ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ୍ତ କୁମାର ନାୟକଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି ବୋଲି କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରେଲ ଫାଟକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଅଭିଯୋଗ କରାଯାଇଛି। ମାଟିଆପଡା ରେଳ ଓଭରବ୍ରିଜ ନିର୍ମାଣ ହେଲେ ଶତାଧିକ ପରିବାର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଉଠାଦୋକାନୀ ପ୍ରଭାବିତ ହେବେ। ତେଣୁ ପ୍ରଦୀପ୍ତଙ୍କ ନେତୃତ୍ୱରେ ଏନେଇ ବିସ୍ଥାପିତ ହେବାକୁ ଥିବା ପରିବାର ଓ ବ୍ୟବସାୟୀ ଏହାର ତୀବ୍ର ବିରୋଧ କରିଥିଲେ। ବିସ୍ଥାପିତଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନ୍ଦେଳନ କରାଯିବ ବୋଲି ପ୍ରଦୀପ୍ତ ଜିଲା ପ୍ରଶାସନକୁ ଚେତାବନୀ ଦେଇଥିଲେ। ରେଳ ଓଭରବ୍ରିଜ ମାଟିଆପଡ଼ା ପରିବର୍ତ୍ତେ ହୁଳିହୁଳିଆ ପୋଲ ଅଥବା ଏନ୍‌ସିସି ଗେଟ୍‌ ଦେଇ ନିର୍ମାଣ ଲାଗି ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ହେଲେ ଆନ୍ଦୋଳନକୁ ପ୍ରତିହତ ଲାଗି ପ୍ରଶାସନ ପକ୍ଷରୁ ତାଙ୍କୁ ଜାଣିଶୁଣି ମିଥ୍ୟା ମକଦ୍ଦମାରେ ଫସାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ମୁକ୍ତ କରା ନ ଗଲେ ଜନଆନ୍ଦୋଳନ ବ୍ୟାପକ କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି। ଖବରଦାତା ସମ୍ମିଳନୀରେ କମିଟି ସଭାପତି ରାମଚନ୍ଦ୍ର ମୁଦୁଲି, ସମ୍ପାଦକ ଶତ୍ରୁଘ୍ନ ବଳିଆରସିଂ, ପ୍ରଭୁରଞ୍ଜନ ମହାନ୍ତି, ବିଜୟ କୁମାର ପଟ୍ଟନାୟକ, ବିଭୂତି ଭୂଷଣ ସେଠୀ, ତପନ ମହାନ୍ତି, ସୁରେଶ କୁମାର ମହାପାତ୍ର, ବିଜୟ ଦାସ, ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବହୁଚର୍ଚ୍ଚିତ ସଞ୍ଜୟ ବେହେରା ଓରଫ ପାରା ଗୁଳିକାଣ୍ଡରେ ଗୁରୁବାର କୁମ୍ଭାରପଡା ପୋଲିସ ପ୍ରଦୀପ୍ତଙ୍କୁ ଗିରଫ କରିଥିଲା। ୨୦୧୮ ଡିସେମ୍ବର ୧୨ରେ ପାରା ଗୁଳିକାଣ୍ଡରେ ତାଙ୍କ ସମ୍ପୃକ୍ତି ନେଇ ଅଭିଯୋଗରେ ଦର୍ଶାଯାଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି। ଏସ୍‌ପି ଉମାଶଙ୍କର ଦାଶ କମିଟିର ଅଭିଯୋଗକୁ ଖଣ୍ଡନ କରିଛନ୍ତି।