ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ଆୟେଶାକାଂକ୍ଷା ନିଜର ଆତ୍ମବିଶ୍ୱାସ, ଦକ୍ଷତା, ଅଭିନୟ, ବୁଦ୍ଧିମତାରେ ଜୁରି ଓ ଦର୍ଶକଙ୍କ ହୃଦୟ ଜିତି ପିନ୍ଧିଛନ୍ତି ୨୦୨୦ ଗ୍ଲୋରିକୁଇନ ମୁକୁଟ। ସେହିପରି ହାଇଟେକ୍‌ ମେଡିକାଲ କଲେଜର ଆଦ୍ୟାଶା ଆଦିଶକ୍ତି ସାହୁ ପ୍ରଥମ ରନର୍ସଅପ୍‌ ଏବଂ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଶିବାନୀ ଭାଗଲ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଶୀତୁଆ ସନ୍ଧ୍ୟାରେ ପୁରୀ ବେଳାଭୂମି ଖୋଲାମଞ୍ଚରେ ଗ୍ଲୋରିକୁଇନ ମୁକୁଟ ପିନ୍ଧିବାବେଳେ ବେଶ୍‌ ଭାବବିହ୍ବଳ ହୋଇପଡ଼ିିଥିଲେ ପ୍ରତୀକ୍ଷା। ଯୁବକମାନଙ୍କ ମଧ୍ୟରେ ଅନୁଷ୍ଠିତ ଗ୍ଲୋରି ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ବ୍ରହ୍ମପୁର ଖଲ୍ଲିିକୋଟ କଲେଜର କିଶୋର ନାୟକ ପ୍ରଥମ, ତାମିଲନାଡୁ ଆଲାଗାପା ବିଶ୍ୱବିଦ୍ୟାଳୟର ଏମ୍‌. ଗଣେଶ ଦ୍ୱିତୀୟ ଏବଂ ପୁରୀ ଏସ୍‌ସିଏସ୍‌ କଲେଜର ପ୍ରଦୀପ କୁମାର ପାଣିଗ୍ରାହୀ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଛନ୍ତି।
ଶ୍ରୀକ୍ଷେତ୍ରର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ଗତ ୬ରୁ ୧୨ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଗ୍ଲୋରିଫେଷ୍ଟ ରୋପ୍ୟ ଜୟନ୍ତୀ ଉତ୍ସବ। ଶରଧାବାଲି ମୁକ୍ତାକାଶ ମଞ୍ଚରେ ଉଦ୍‌ଘାଟନୀ ପର୍ବ ପରେ ତିନିଦିନ ଧରି ପୌର ସଦନରେ ୨୫ଟି ପ୍ରତିଯୋଗିତା ହୋଇଥିଲା। ଶେଷ ୩ଦିନ ବେଳାଭୂମି ମଞ୍ଚରେ ଏହି ଜାତୀୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ସମ୍ପନ୍ନ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୬୫୦ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ।