Categories: ଗଞ୍ଜାମ

ପ୍ରତି ସକାଳେ ପତାକା ଉତ୍ତୋଳନ

ବ୍ରହ୍ମପୁର ଅଫିସ୍‌,୧୩ା୮- ତ୍ରିରଙ୍ଗା କେବଳ ଯେ ଆମ ଦେଶର ଜାତୀୟ ପତାକା ତାହା ନୁହଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଏବଂ ଗୌରବର ପ୍ରତୀକ। ଯିଏ, ଯେଉଁଠି, ଯେ କୌଣସି ଅବସ୍ଥାରେ ଥିଲେ ମଧ୍ୟ ଜାତୀୟ ପତାକାକୁ ଦେଖିଲେ ସମ୍ମାନ ଜଣାଇବାକୁ ହାତ ଉଠିଯାଏ। ସାଧାରଣତଃ ଭାରତରେ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ସର୍ବତ୍ର ଜାତୀୟ ପତାକା ଉତ୍ତୋଳନ କରାଯାଏ । କିନ୍ତୁ ବ୍ରହ୍ମପୁର ସହରରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି କେବଳ ସ୍ବତନ୍ତ୍ର ଦିବସରେ ନୁହେଁ, ବରଂ ଦୈନିକ ସକାଳେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଅପରାହ୍ନରେ ପତାକାକୁ ଅବତରଣ କରାଯାଉଛି। ଦିନେ କି ମାସେ ନୁହଁ, ଗତ ଏକ ବର୍ଷ ହେଲା ପତାକା ଉତ୍ତୋଳନ କରୁଛନ୍ତି ବ୍ରହ୍ମପୁର ସହରର କେତେକ ସଚେତନ ଜନସାଧାରଣ ।
ସହର କୋର୍ଟପେଟା ଛକରେ ଦୈନିକ ସକାଳ ୮ଟା ବେଳେ କେତେକ ସହରବାସୀ ଏକାଠି ହୁଅନ୍ତି ।
ଭାରତ ମାତାଙ୍କ ଜୟକାର ଧ୍ୱନି ସହ ଶୃଙ୍ଖଳିତ ଭାବେ ଠିଆ ହୁଅନ୍ତି ।
ଠିକ୍‌ ୮ଟା ବାଜିବା କ୍ଷଣି ହୁଏ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଏଥି ସହ ଗାନ କରାଯାଏ ଜାତୀୟ ସଂଗୀତ । ସମସ୍ତେ ପତାକାକୁ ସାଲୁଟ୍‌ କରନ୍ତି । ପରେ ନିଜ ନିଜ କାର୍ଯ୍ୟ କର୍ମକ୍ଷେତ୍ରକୁ ଚାଲିଯାନ୍ତି ।
ପତାକା ଉତ୍ତୋଳନ ଦାୟିତ୍ୱ ନେଇଥିବା ରାମ କୁମାର ପାତ୍ର କୁହନ୍ତି, ପୂର୍ବରୁ ଜାତୀୟ ପତାକା ଉତ୍ତୋଳନ ନେଇ ଅନେକ କଟକଣା ରହିଥିଲା । କିନ୍ତୁ ଫ୍ଲାଗ୍‌ କୋଡ଼୍‌ରେ ସଂଶୋଧନ ପରଠୁ ସାଧାରଣ ଲୋକେ ମଧ୍ୟ ଚାହିଁଲେ ନିଜ ଘରେ ଏବଂ ଅନୁଷ୍ଠାନରେ ପତାକା ଉତ୍ତୋଳନ କରିପାରିବେ। କୋର୍ଟପେଟା ଛକରେ ଥିବା ଜଗନ୍ନାଥ ମନ୍ଦିରକୁ ମୁଁ ଏବଂ ଅନ୍ୟ କେତେକ ସହରବାସୀ ପ୍ରତ୍ୟହ ସକାଳେ ଦର୍ଶନ ପାଇଁ ଆସୁଥିଲୁ ।
ନିଜ ଭିତରେ ନିଷ୍ପତ୍ତି ନେଲୁ ଜଗନ୍ନାଥ ଦର୍ଶନ ସହ ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିବା। ଗତ ବର୍ଷ ସ୍ବାଧୀନତା ଦିବସରେ ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କରାଯାଇଥିଲା। ତା’ ପରଠୁ ଦୈନିକ ସକାଳ ୮ଟାରେ ପତାକା ଉତ୍ତୋଳନ କରାଯାଉଛି। ଆଖାପାଖର କେତେକ ବ୍ୟକ୍ତି ଏବଂ ମନ୍ଦିର ପୂଜକମାନେ ମଧ୍ୟ ଏଥିରେ ସାମିଲ୍‌ ହେଉଛନ୍ତି। ପ୍ରାରମ୍ଭରେ ଲୋକଙ୍କ ସଂଖ୍ୟା କମ୍‌ ଥିଲା। ଧୀରେ ଧୀରେ ସଂଖ୍ୟା ବଢ଼ୁଛି। ସକାଳ ସାଢ଼େ ୭ଟାରୁ ସମସ୍ତେ ଏକାଠି ହୋଇଯାଉଛନ୍ତି । ପରିସରକୁ ସଫା କରିବା ପରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରାଯାଉଛି। ତେବେ ଏହି ସମୟରେ ଯଦି କିଏ ରାସ୍ତା ଦେଇ ଯାଉଥି୦ବେ, ତେବେ ସେମାନେ ମଧ୍ୟ ଉତ୍କଣ୍ଠାାର ସହ ପତାକା ଉତ୍ତୋଳନ ଦେଖୁଛନ୍ତି। ଲୋକମାନଙ୍କ ମଧ୍ୟରେ ଏକତା ଏବଂ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ମନ୍ଦିର ପୂଜକ ସନ୍ତୋଷ ମିଶ୍ର ଏବଂ ମହେଶ୍ୱର ପାଣି କୁହନ୍ତି, ପତକା ଉତ୍ତୋଳନଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର ଅବତରଣ । ଅପରାହ୍ନ ଠିକ୍‌ ୫ଟା ବାଜିବା କ୍ଷଣି ପତାକା ଅବତରଣ କରାଯାଉଛି। ଉଭୟ ଉତ୍ତୋଳନ ଏବଂ ଅବତରଣ ସମୟରେ ଜାତୀୟ ପତାକାକୁ ଉଚିତ ସମ୍ମାନ ପ୍ରତି ଧ୍ୟାନ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ।