ପ୍ରତି ବ୍ଲକରେ ହେବ କୋଭିଡ୍‌ କେୟାର ସେଣ୍ଟର

ଭଞ୍ଜନଗର,୧୪।୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋଭିଡ୍‌ କେୟାର ସେଣ୍ଟର ସଂଖ୍ୟା ମଧ୍ୟ ବଢୁଛି। ଭଞ୍ଜନଗରରେ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ହେଉଛି। ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ହଷ୍ଟେଲରେ ୬୦ ଶଯ୍ୟା ଓ ନିକଟରେ ଥିବା ସିଟି ସ୍କୁଲ ହଷ୍ଟେଲରେ ୪୦ ଶଯ୍ୟା ରହିଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀ ଅସୁସ୍ଥ ହେଲେ ଏଠାରେ ଚିକିତ୍ସିତ ହେବେ। ସ୍ବାବ୍‌ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଆସିଲେ ପୁଣି କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଫେରିବେ। ଏଥିସହ ସାମାନ୍ୟ କରୋନା ଆକ୍ରାନ୍ତ ରୋଗୀମାନେ ମଧ୍ୟ ଏଠାରେ ଚିକିସତ୍ିତ ହେବେ। ଭଞ୍ଜନଗର କୋଭିଡ଼୍‌ କେୟାର ସେଣ୍ଟର ପାଇଁ ୯ଜଣ ଡ଼ାକ୍ତର, ୬ ନର୍ସ, ୨ ଫାର୍ମାସିଷ୍ଟ ସମେତ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ମେଡ଼ିକାଲ କର୍ମଚାରୀଙ୍କୁ କେଏସ୍‌ୟୁବି କଲେଜରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ରୋଗୀ ସଂଖ୍ୟା ବୃଦ୍ଧି ଓ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବାରୁ ପ୍ରତି ବ୍ଲକରେ ଗୋଟିଏ ଲେଖାଏ କୋଭିଡ୍‌ କେୟାର ସେଣ୍ଟର କରିବାକୁ ଯୋଜନା ରହିଥିବା ସେ କହିଥିଲେ। ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ ପ୍ରଧାନ, ଏନଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ମେଡ଼ିକାଲ ଅଧିକ୍ଷକ ଡ଼. ସିତାଶୁଂ ଶେଖର ଶତପଥୀ ପ୍ରମୁଖ ଜିଲାପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।