ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ପ୍ରତ୍ୟେକ ଜିଲାର ବିଧାୟକଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍‌ ଅନ୍ୟ ରାଜ୍ୟକୁ ଗସ୍ତ କରିବ। ବିଧାୟକଙ୍କ ମତାମତ ଓ ଟିମ୍‌ର ରିପୋର୍ଟ ଆଧାରରେ ମଡେଲ ମଣ୍ଡି ସ୍ଥାପନ କରାଯିବ। ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଆହୁରି ଏକ ମାସ ଦଶ ଦିନ ସମୟ ରହିଛି। ସମସ୍ତ ଧାନ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।