ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି

ମାର୍କ ରୋ

କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍‌ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି ସ୍ଥିତିରେ ନୀତି ନିର୍ଦ୍ଧାରକମାନେ ଆର୍ଥିକ ଅବନତିକୁ ରୋକିବା ସହ ଏହି ରୋଗକୁ କିପରି ସାମ୍‌ନା କରାଯାଇପାରିବ ତାହାର ଉପାୟ ବାହାର କରିବାକୁ ବାଧ୍ୟ ହେବେ। ବିକଶିତ ଦେଶଗୁଡିକର ମୁଖ୍ୟ ଅର୍ଥନୈତିକ ପ୍ରସ୍ତାବଗୁଡ଼ିକ ଭିତରେ ରହିଛି: ହିତାଧିକାରୀମାନଙ୍କୁ ନଗଦ ରାଶି ପ୍ରଦାନ, ଟିକସ ଆଦାୟକୁ ସ୍ଥଗିତ ରଖିବା ଏବଂ ବ୍ୟବସାୟିକ ବେଲ୍‌ଆଉଟ ବା ତ୍ରାଣପାଣ୍ଠି ପ୍ରଦାନ। କିନ୍ତୁ ଏବେ ଅର୍ଥନୀତିକୁ ବଞ୍ଚାଇବା ପାଇଁ ବାୟୋମେଡିସିନ ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନ ଚାଲୁଥିବା ତିନୋଟି ପ୍ରମୁଖ ବାୟୋମେଡିକାଲ ଚ୍ୟାନେଲ ମଧ୍ୟରୁ ଚିକିତ୍ସାଗତ ଦୃଷ୍ଟିରୁ ଯାହା ସବୁଠାରୁ କମ୍‌ ଗୁରୁତ୍ୱପୂର୍ଣ୍ଣ ତାହା ଏକ ଅର୍ଥନୈତିକ ଆର୍ମାଗେଡନ (ମହାଯୁଦ୍ଧ)କୁ ଅଟକାଇପାରିବ।
ଏହା ହେଉଛି ଏକ ପରୀକ୍ଷା, ଯାହାଦ୍ୱାରା ଜଣାପଡ଼ିବ ଜଣେ କରୋନା ଆକ୍ରାନ୍ତ ରୋଗୀ ଭଲ ହେଲେଣି କି ନାହିଁ ଏବଂ ଭଲ ହୋଇଥିଲେ ତାଙ୍କ ଶରୀରରେ କୋଭିଡ୍‌-୧୯ର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ। ବୈଜ୍ଞାନିକମାନେ କହିଛନ୍ତି ଯେ ରୋଗର ପୂର୍ଣ୍ଣ ଲକ୍ଷଣଠାରୁ କମ୍‌ ଲକ୍ଷଣ ପ୍ରଦର୍ଶନ କରୁଥିବା ଏବଂ ଆଦୌ ଲକ୍ଷଣ ପ୍ରକାଶ କରୁ ନ ଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତେବେଳେ ଏହି ଲକ୍ଷଣହୀନ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇଯିବେ ବା ସୁସ୍ଥ ହୋଇଯିବେ, ସେତେବେଳେ ସେମାନେ ନିଜ ନିଜର କାର୍ଯ୍ୟକୁ ଯାଇପାରିବେ। ସେତେବେଳେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିବେ ସେମାନେ ଆଉ ସଂକ୍ରମିତ ହେବେ ନାହିଁ। କିନ୍ତୁ ଆମେ ଜାଣିବା ଆବଶ୍ୟକ ଯେ କେଉଁମାନେ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇଛନ୍ତି।
ମନେକରନ୍ତୁ ଆମେ ଆଜି ରୋଗ ପ୍ରତିରୋଧକ ଶକ୍ତି ପାଇଁ ସ୍ବଳ୍ପ ଲକ୍ଷଣ ଏବଂ ଲକ୍ଷଣହୀନ କେସ୍‌ଗୁଡ଼ିକର ପରୀକ୍ଷା କରିପାରିବା। କିନ୍ତୁ ଏହା ଏପର୍ଯ୍ୟନ୍ତ ବହୁଳ ଭାବରେ ଉପଲବ୍ଧ ପରୀକ୍ଷା ନୁହେଁ। ଏହି ପରୀକ୍ଷାରୁ ଜଣାପଡ଼େ ଭୂତାଣୁ ଜଣଙ୍କ ଶରୀରରେ ଅଛି କି ନାହିଁ, କିନ୍ତୁ ଏହି ପରୀକ୍ଷାରୁ ଜାଣିହୁଏ ନାହିଁ ଯେ ଭୂତାଣୁ ଆସିଥିଲା, ଯାଇଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରି ଯାଇଛି। ଯେଉଁମାନେ ଆକ୍ରାନ୍ତ ହୋଇଥିଲେ, ଭଲ ହୋଇଯାଇଛନ୍ତି ଏବଂ ଏବେ ସୁସ୍ଥ ଅଛନ୍ତି, ସେମାନଙ୍କୁ ପରୀକ୍ଷା କରି କାର୍ଯ୍ୟକୁ ଫେରିବାର ଅନୁମତି ଦିଆଯାଇପାରେ।
ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅନ୍ୟ ଭୂତାଣୁଜନିତ ରୋଗ ପରି, କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ ପରେ ଏହା ରୋଗ ପରବର୍ତ୍ତୀ ପ୍ରତିରୋଧକ ଶକ୍ତି ଆଣିଥାଏ। ଏ ବିଷୟରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହେବା ଆବଶ୍ୟକ ଏବଂ ଏହା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଯଥାଶୀଘ୍ର ଔଷଧ ଏବଂ ଟିକା ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ୧୨ରୁ ୧୮ ମାସ ଭିତରେ କୌଣସି ଟିକା ବା ଔଷଧ ବ୍ୟାପକ ଭାବରେ ଉପଲବ୍ଧ ହେବାର ସମ୍ଭାବନା କମ୍‌ ଏବଂ ତା’ ଭିତରେ ବିଶ୍ୱ ଅର୍ଥନୀତି ଧ୍ୱସ୍ତ ହୋଇସାରିଥିବ। ସେହିଭଳି, ଏହି ରୋଗର ଚିକିତ୍ସା ପାଇଁ ଆଣ୍ଟାଇଭାଇରାଲଗୁଡ଼ିକକୁ ପ୍ରାଥମିକତା ଦେବା ଆବଶ୍ୟକ, କିନ୍ତୁ ଅର୍ଥନୀତି ଉପରେ ଏହାର ପ୍ରଭାବ କେତେ ତାହା ଅନିଶ୍ଚିତ। ଲୋକମାନେ ତଥାପି ଅସୁସ୍ଥ ହେବେ। ଅଧିକନ୍ତୁ, ପ୍ରଭାବଶାଳୀ ଆଣ୍ଟାଇଭାଇରାଲ କେଇ ମାସ ଭିତରେ ଆସିଯିବ ବୋଲି ଆଶା କରାଯାଏ, କିନ୍ତୁ କିଛି ସପ୍ତାହ ଭିତରେ ନୁହେଁ। ଅର୍ଥନୀତି ସେତେ ଦିନ ଅପେକ୍ଷା କରିପାରିବ ନାହିଁ।
ଇମ୍ୟୁନିଟି ପରୀକ୍ଷାକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ବିଚାର କରନ୍ତୁ। ଗତ ସପ୍ତାହରେ ମୋ ପତ୍ନୀ ଏବଂ ମୁଁ ଗୋଟିଏ ଦିନ ପାଇଁ ଥଣ୍ଡା ଅନୁଭବ କରିଥିଲୁ: ହାଲୁକା, ଶୁଖିଲା କାଶ ଏବଂ ଟିକିଏ ଯନ୍ତ୍ରଣା। ଏହା କୋଭିଡ୍‌-୧୯ର ଏକ ମୃଦୁ ରୂପ ଥିଲା କି, ଯାହାକୁ ଆମର ପ୍ରତିରୋଧକ ପ୍ରଣାଳୀ ଗମ୍ଭୀର ଲକ୍ଷଣ ପ୍ରକାଶ ପୂର୍ବରୁ ଲଢ଼ି ଭଲ କରିଥିଲା? ହୋଇପାରେ, ନ ବି ହୋଇପାରେ ଏବଂ ଏହା ବି ହୋଇପାରେ ଯେ ଆମେ ବର୍ତ୍ତମାନ ଏହି ରୋଗର ପ୍ରତିରୋଧକ ଶକ୍ତିସମ୍ପନ୍ନ। ଯଦି ଏକ ଇମ୍ୟୁନିଟି ପରୀକ୍ଷା ବ୍ୟବସ୍ଥା ଉପଲବ୍ଧ ଥାନ୍ତା, ଆମେ ପରୀକ୍ଷା କରାଇଥାନ୍ତୁ ଏବଂ ଯଦି ଆମେ ରୋଗ ପ୍ରତିରୋଧକ ଶକ୍ତିସମ୍ପନ୍ନ ବୋଲି ପ୍ରମାଣିତ ହୋଇଥାନ୍ତା, ତେବେ ଆମେ ବାହାରକୁ ଓ ଅଫିସକୁ ଯିବା ଆସିବା କରିପାରିଥାନ୍ତୁ। କିନ୍ତୁ ଆମେ ତାହା ଜାଣିନାହୁଁ, ତେଣୁ ଘରେ ରହୁଛୁ।
ସର୍ବସାଧାରଣ ଆଲୋଚନାରେ କୋଭିଡ୍‌-୧୯ ବିଷୟରେ ଅନେକ କଥା ଅସ୍ପଷ୍ଟ ରହିଥାଏ। ତାହା ବିଶେଷଜ୍ଞଙ୍କ ଜ୍ଞାନରେ ଧରାପଡେ। ଉଦାହରଣ ସ୍ବରୂପ, କେତେ ଲୋକଙ୍କଠାରେ ରୋଗର ଲକ୍ଷଣ ନାହିଁି ଏବଂ ଆଗାମୀ ମାସଗୁଡ଼ିକରେ ସଂକ୍ରମଣର ସାମଗ୍ରିକ ସ୍ତର କେତେ ରହିଛି, ତାହା ଜାଣିବା ଉପରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣର ଅର୍ଥନୈତିକ ମୂଲ୍ୟ ନିର୍ଭର କରେ। କିନ୍ତୁ ସେ ବିଷୟରେ ଆମେ ବର୍ତ୍ତମାନ ମଧ୍ୟ ଜାଣି ନାହୁଁ। ଏହି ପରୀକ୍ଷା ସହଜ ଓ ସୁବିଧାଜନକ ହେବା ଦରକାର, କାରଣ ଯାହାଙ୍କଠାରେ ରୋଗର ଲକ୍ଷଣ ନାହିଁ ସେଇମାନେ ଏହାକୁ ବ୍ୟବହାର କରିବେ। ସମ୍ଭବତଃ କେତେକ ବ୍ୟବସାୟ ପ୍ରତିଷ୍ଠାନ ହେବେ ଏହାର ପ୍ରଥମ ବ୍ୟବହାରକାରୀ, ଯେଉଁଗୁଡ଼ିକ ହାତଗଣତି ରୋଗପ୍ରତିରୋଧୀ କର୍ମଚାରୀଙ୍କ ବିନା ବ୍ୟବସାୟ ପ୍ରତିଷ୍ଠାନ ଖୋଲିପାରିବେ ନାହିଁ। ଅପରପକ୍ଷେ, ଜନସ୍ବାସ୍ଥ୍ୟ ଅବସ୍ଥା ଯେତେ ଖରାପ, ରୋଗ ପ୍ରତିରୋଧକ ପରୀକ୍ଷଣର ଅର୍ଥନୈତିକ ମୂଲ୍ୟ ସେତେ ଅଧିକ। ଯଦି ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ତେବେ ଅର୍ଥନୀତି ଅଧିକ ବ୍ୟାହତ ହୁଏ ଏବଂ କ୍ରମେ ଲକ୍ଷଣହୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ମହାମାରୀରେ ମୃତ୍ୟୁହାର ଯେତେ କମ୍‌ ହେବ ତାହା ଅର୍ଥନୀତି ପ୍ରତି ସେତେ କମ୍‌ ଖରାପ ପ୍ରଭାବ ପକାଇବ। ଯେଉଁମାନେ ଭଲ ହେବେ ସେମାନେ ତାଙ୍କର ସାଧାରଣ ଦୈନନ୍ଦିନ କର୍ମ ଆରମ୍ଭ କରିପାରିବେ। ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବ। କିନ୍ତୁ ସମସ୍ୟା ହେଉଛି ଏହି ଭଲ ହୋଇଥିବା ଲୋକମାନେ କିଏ ବୋଲି ଆମେ କେମିତି ଜାଣିବା।
ଏକ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣ ଆମକୁ କହିପାରିବ ଯେ କାହାକୁ ଅର୍ଥନୈତିକ କାର୍ଯ୍ୟକ୍ରମରୁ ଅଲଗା ରଖିବା ଆବଶ୍ୟକ ନାହିଁ। ଏପ୍ରିଲ ସୁଦ୍ଧା ଆମର ଅର୍ଥନୈତିକ ସ୍ବାସ୍ଥ୍ୟରେ ଉନ୍ନତି ଆରମ୍ଭ ହୋଇପାରେ କିମ୍ବା ଅଧିକ ଅବନତି ନ ହୋଇପାରେ। (ପ୍ରୋଜେକ୍ଟ ସିଣ୍ଡିକେଟ)
(ଲେଖକ ହାଓ୍ବାର୍ଡ ଲ’ ସ୍କୁଲର ଜଣେ ପ୍ରଫେସର)


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri