ପ୍ରତିମୂର୍ତ୍ତି ଓ ପ୍ରେରଣା

ଡ. ପ୍ରଫୁଲ୍ଲ କୁମାର ସାହୁ

ପ୍ରତିମୂର୍ତ୍ତି ପ୍ରେରଣାର ଆଧାର। ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଓ ଦର୍ଶନର ପ୍ରତିଫଳନ। ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସମାଜ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରି ଯାଇଥିବା ପ୍ରଣମ୍ୟ ପୁରୁଷମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିମୂର୍ତ୍ତି ଗଢାଯାଏ ଏବଂ ସେଥିରୁ ଗ୍ରହଣ କରାଯାଏ ମହନୀୟତାର ପ୍ରେରଣା। ବିଶ୍ୱବ୍ୟାପୀ ଏହା ହିଁ ବୋଧହୁଏ ପ୍ରତିମୂର୍ତ୍ତି ପଛର କାହାଣୀ। ମାନବ ସଭ୍ୟତାରେ ପ୍ରତିମୂର୍ତ୍ତିର ଇତିହାସ ଖୁବ୍‌ ପୁରୁଣା ହେଲେ ବି ପ୍ରାଚୀନ ଭାରତ ବର୍ଷ ନ ଥିଲା ପ୍ରତିମୂର୍ତ୍ତିର ଦେଶ। ବରଂ ଇତିହାସ ପୁରୁଷଙ୍କ ନୀତି, ନିୟମ, ଭାବ, ଆଦର୍ଶ ଥିଲା ଆଗକୁ ବଢିବାର ପାଥେୟ। ପରବର୍ତ୍ତୀ ସମୟରେ ଇତିହାସ ପୁରୁଷଙ୍କ ପ୍ରେରଣା ଲାଭ ପାଇଁ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ଦେଶ ଗୁରୁତ୍ୱାରୋପ କଲା, ଯାହା ଫଳରେ ଆଜି ମୂର୍ତ୍ତିମୟ ଦେଶରେ ପରିଣତ ହୋଇଛି ଭାରତୀୟ ଗଣତନ୍ତ୍ର। ମାତ୍ର ବିଡ଼ମ୍ବନାର ବିଷୟ, ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ଏଠି ପ୍ରତିମୂର୍ତ୍ତି ସ୍ଥାପନ ହୁଏ, ସେ ଉଦ୍ଦେଶ୍ୟ ଚରିତାର୍ଥ ଦିଗରେ ପ୍ରକାଶ ପାଏନି ତପତ୍ରତା।
ମଣିଷ ଯେତେବେଳେ ମଣିଷପଣିଆର ଚରମ ସୀମାରେ ପହଞ୍ଚେ, ସେତେବେଳେ ଲୋକେ ତାକୁ ପୂଜା କରନ୍ତି ଦେବତା ଭଳି। ଓଡ଼ିଶା ମାଟିରେ ଠିକ୍‌ ସେହିଭଳି ଜଣେ ଦେବତା ଥିଲେ ଉକତ୍ଳମଣି ଗୋପବନ୍ଧୁ ଦାସ। ତାଙ୍କର ପ୍ରେରଣା ହାସଲ ପାଇଁ ସାର୍ବଜନୀନ ଭାବେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଗଢାହୋଇଥିଲା ଦାସେ ଆପଣେଙ୍କ ପ୍ରତିମୂର୍ତ୍ତି। ୧୯୩୪ ମସିହା ମେ ଆଠ ତାରିଖ ନିଜର ଐତିହାସିକ ହରିଜନ ଯାତ୍ରା ଆରମ୍ଭ କରିବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହାକୁ ଅନାବରଣ କରିଥିଲେ ଜାତିର ଜନକ ମହାମତ୍ା ଗାନ୍ଧୀ। ତାଙ୍କ ସେବାଧର୍ମରେ ଅନୁପ୍ରାଣିତ ହେବା ପାଇଁ ପାଳନ ହେଲା ସେବା ଦିବସ। ମାତ୍ର ଏହା ସତ୍ତ୍ୱେ ପ୍ରାୟତଃ କେହି ଗ୍ରହଣ କରିପାରିଲେନି ତାଙ୍କ ସେବା ଓ ତ୍ୟାଗର ମହନୀୟ ପ୍ରେରଣା। କାହା ପାଖରେ ଆଉ ଦେଖିବାକୁ ମିଳିଲାନି ଗୋପବନ୍ଧୁଙ୍କର ଉତ୍ସର୍ଗୀକୃତ ଭାବନା। ସାରା ଭାରତବର୍ଷରେ ଗୌତମ ବୁଦ୍ଧ ହେଉଛନ୍ତି ସର୍ବାଧିକ ଓ ସର୍ବଶ୍ରେଷ୍ଠ ପ୍ରତିମୂର୍ତ୍ତି-ପ୍ରେରିତ-ବ୍ୟକ୍ତିତ୍ୱ ଭାବରେ ପରିଚିତ ଏବଂ ତାଙ୍କ ପରେ ଯଦି କୌଣସି ଭାରତୀୟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଗଢିବା ଲାଗି ବିଶ୍ୱ ସମୁଦାୟର ଆଗ୍ରହ ଜାଗତିଆର ରହିଛି, ତେବେ ସେ ହେଉଛନ୍ତି ମହାମତ୍ା ଗାନ୍ଧୀ। ଆଜି ସାରା ପୃଥିବୀରେ ଭାରତର ମୁହଁ ପ୍ରତିଫଳିତ କେବଳ ଗାନ୍ଧିଜୀଙ୍କ ବିଚାର, ଆଦର୍ଶ, ଫଟୋଚିତ୍ର ଓ ପ୍ରତିମୂର୍ତ୍ତି ମାଧ୍ୟମରେ। ଗଣ ଭିତରେ ପ୍ରଚାରିତ ଏକ ତଥ୍ୟ ଅନୁସାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ରୁଷିଆ ଓ କାନାଡ଼ା ଆଦି ବିଭିନ୍ନ ଦେଶରୁ ବରାଦ ଆସି ପହଞ୍ଚୁଛି ପଛକୁ ପଛ। ଏହାର କାରଣ ଗାନ୍ଧିଜୀ ଥିଲେ ମାନବୀୟ ଗୁଣର ଏକ ପ୍ରେରଣାଦାୟୀ ଉଦାହରଣ। ତେଣୁ ପୃଥିବୀ ଏବେ ଲୋଡ଼ୁଛି ଗାନ୍ଧୀ ଆଦର୍ଶର ମହନୀୟ ପ୍ରେରଣା। ସାରା ପୃଥିବୀ ଏକଥା ଜାଣେ ଯେ ଗାନ୍ଧିଜୀ ଥିଲେ ବିଲାତୀୟ କୁଶାସନର ପ୍ରଚଣ୍ଡ ବିରୋଧୀ। ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ଦେଶବାସୀଙ୍କ ହାତରେ ସେ ଧରେଇ ଦେଇଥିଲେ ସତ୍ୟାଗ୍ରହ ରୂପକ ଅମୋଘ ଅସ୍ତ୍ର। ସେହି ଅସ୍ତ୍ର ଆଗରେ ହାର ମାନିଲା ପ୍ରଚଣ୍ଡ ଶକ୍ତିଶାଳୀ ଇଂରେଜ ଜାତି। ଅଥଚ ସେ ଇଂରେଜ ଜାତି ଆଜି ଅତି ଆଗ୍ରହର ସହିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦେଇଛି ଲଣ୍ଡନ ପାର୍ଲାମେଣ୍ଟ ଛକରେ। ନଅଫୁଟ ଉଚ୍ଚତା ବିଶିଷ୍ଟ ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତି ଛିଡ଼ା ହୋଇଛି ଠିକ୍‌ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତି ପାଖରେ, ଯେଉଁ ଚର୍ଚ୍ଚିଲ ଦିନେ ଗାନ୍ଧିଜୀଙ୍କୁ ଲଙ୍ଗଳା ଫକୀର କହି କଟୁ ବାକ୍ୟବାଣ ପ୍ରୟୋଗ କରିଥିଲେ ଅତି ଅସୌଜନ୍ୟ ଭାବରେ। ସେ କଥା ଭୁଲିଯାଇ ସର୍ବପୁରାତନ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗାନ୍ଧିଜୀଙ୍କ ସାର୍ବଜନୀନ ବାର୍ତ୍ତା ଭିତରେ ଥିବା ବିରଳ ବନ୍ଧୁତ୍ୱକୁ ଚିରକାଳ ଉଜ୍ଜୀବିତ କରି ରଖିବା ପାଇଁ ସେମାନେ ସ୍ଥାପନ କଲେ (ମାର୍ଚ୍ଚ ୨୦୧୫) ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଭିଡ୍‌ କାମେରନଙ୍କ ବକ୍ତବ୍ୟ ଅନୁସାରେ ଇତିହାସର ଜଣେ ଏଭଳି ଅତୁଳନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏ ପ୍ରସିଦ୍ଧ ସ୍ଥାନରେ ସ୍ଥାନିତ କରି ଆମେ ତାଙ୍କୁ ନିଜର କରିନେଇଛୁ ଚିରଦିନ ପାଇଁ।
ଗାନ୍ଧିଜୀଙ୍କ ବ୍ୟତୀତ ଭାରତରେ ସ୍ବାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଠାକୁର, ଭୀମରାଓ ଆମ୍ବେଡ୍‌କର, ଲାଲବାହାଦୁର ଶାସ୍ତ୍ରୀ, ଏପିଜେ ଅବଦୁଲ୍‌ କଲାମ ପ୍ରମୁଖ ଇତିହାସ ପୁରୁଷଙ୍କ ପାଖରେ ରହିଛି ଦେଶ ଭିତରେ ଓ ବାହାରେ ପ୍ରତିମୂର୍ତ୍ତି ମାଧ୍ୟମରେ ପ୍ରେରଣା ପ୍ରଦାନ କରିବାର ଅମାପ ଶକ୍ତି। କେବଳ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ନୁହେଁ, ଆଞ୍ଚଳିକ ସ୍ତରରେ ସମାଜ ପ୍ରତି ବିଶେଷ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କ ସ୍ମୃତିରକ୍ଷା ପାଇଁ ମଧ୍ୟ ଦେଶରେ ତିଆରି ହୋଇଛି ଅସୁମାରି ପ୍ରତିମୂର୍ତ୍ତି। ଯେଉଁମାନଙ୍କ ସହିତ ଲୋକଙ୍କର ଭାବଗତ ସମ୍ପର୍କ ଅଛି ଏବଂ ତାଙ୍କର ଅବଦାନ ଯୋଗୁ ସମାଜ ଉପକୃତ ହୋଇଛି, ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ କେବେ ପ୍ରଶ୍ନ କରାଯାଇ ନ ପାରେ। ମାତ୍ର ସେଭଳି ପ୍ରତିମୂର୍ତ୍ତି ନ ଗଢିବା ଭଲ, ଯଦି ଆମ ଭିତରେ ପ୍ରକାଶ ପାଉନି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ମାନସିକତା। ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଆମେ ପ୍ରତିମୂର୍ତ୍ତି ଗଢିବା ନିମନ୍ତେ ଯେତିକି ତପତ୍ର, ତାକୁ ସୁରକ୍ଷା ଓ ସମ୍ମାନ ଦେବାରେ ସେତିକି ଉଦାସୀନ। ସାଧାରଣତଃ ଆମେ ରାସ୍ତା କଡ଼ରେ ଓ ଛକ ଜାଗାରେ ପ୍ରତିମୂର୍ତ୍ତି ସ୍ଥାପନ କରୁ ଏବଂ ପ୍ରାୟତଃ ତାଙ୍କୁ ସ୍ମରଣ କରୁ ଜୟନ୍ତୀ ଓ ଶ୍ରାଦ୍ଧ ଅବସରରେ। କେବଳ ସେହିଦିନ ପ୍ରତିମୂର୍ତ୍ତି ଓ ତା’ର ଚତୁଃପାର୍ଶ୍ୱ ସଫାସୁତୁରା ହୁଏ ଏବଂ ନିମନ୍ତ୍ରିତ ନେତା ସେଥିରେ ମାଲ୍ୟାର୍ପଣ କରି ଅନର୍ଗଳ ବକ୍ତୃତା ଦିଅନ୍ତି ସେମାନଙ୍କ ସେବା, ତ୍ୟାଗ, ପ୍ରତିଭା ଓ ସାଧନା ସମ୍ପର୍କରେ। ସେହି ଗୋଟିଏ ଦୁଇଟି ଦିନକୁ ଛାଡ଼ିଦେଲେ ବର୍ଷର ଅବଶିଷ୍ଟ ଦିନ ଅଲୋଡ଼ା, ଅଖୋଜା, ବର୍ଜ୍ୟବସ୍ତୁ ଭଳି ପଡ଼ିରହେ ପ୍ରତିମୂର୍ତ୍ତି। ଖରାବର୍ଷା, ଶୀତକାକରରେ ପଡ଼ିରହିଥିବା ଏହି ପ୍ରତିମୂର୍ତ୍ତି ଉପରେ ଧୂଳି ଜମେ, ଚଢେଇ ହଗେ ଓ ବେଳେବେଳେ ଦୁର୍ବୃତ୍ତଙ୍କ ଦ୍ୱାରା ଅପହୃତ ହୋଇଯାଏ ସେଥିରୁ ଚଷମା ଓ ବାଡ଼ି ଇତ୍ୟାଦି। ରାଜନୈତିକ ଆକ୍ରୋଶର ଶିକାର ହୋଇ ବି କେବେ କେବେ ପ୍ରତିମୂର୍ତ୍ତିରୁ ବିଚ୍ଛିନ୍ନ ହୁଏ ଅଙ୍ଗ ପ୍ରତ୍ୟଙ୍ଗ। ଯେଉଁଠି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥାଇ ସ୍ବଚ୍ଛ ଭାରତ ଲେଖାଯାଇଥାଏ, ସେଇଠି ପଡ଼େ ମେଞ୍ଚା ମେଞ୍ଚା ପାନଛେପ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ମଦଦୋକାନ ଖୋଲିବା ପାଇଁ ସରକାର ଯେମିତି ଅନୁମତି ପ୍ରଦାନ କରନ୍ତି, ଲୋକେ ସେମିତି ମଦପିଇ ବୋତଲ ଫିଙ୍ଗନ୍ତି ପ୍ରତିମୂର୍ତ୍ତି ପାଖରେ। ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିତଳେ ଧାରଣା ଦେଉଥିବା ନେତା, ମନ୍ତ୍ରୀମାନେ ଗାନ୍ଧିଜୀଙ୍କ ଅହିଂସା ଆଚରଣ କଥା ସେତେବେଳେ ଭୁଲି ଯାଆନ୍ତି, ଯେତେବେଳେ ପରସ୍ପର ମୁଥ ମରାମରି ହୁଅନ୍ତି ବିଧାନସଭା ଭିତରେ। ଅର୍ଥାତ୍‌ ଆମେ ପ୍ରତିମୂର୍ତ୍ତି ଗଢି ବାହାବା ନେବା ପାଇଁ ଯେତିକି ଉଦ୍‌ବିଗ୍ନ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦିଗରେ ସେତିକି ବୀତସ୍ପୃହ।
ଦେଶରେ କିଛି ରାଜନୈତିକ ଦଳ କ୍ଷମତାରେ ଥାଇ ନିଜ ନିଜ ଆଦର୍ଶ ଭିତ୍ତିରେ ସ୍ଥାପନ କରନ୍ତି ଅନେକ ପ୍ରତିମୂର୍ତ୍ତି। ସବୁ ନୀତିନିୟମକୁ ଉଲ୍ଲଂଘନ କରି ଏଥିପାଇଁ ରାଜକୋଷରୁ ବ୍ୟୟ କରନ୍ତି ବିପୁଳ ଅର୍ଥ। ସେ ମୂର୍ତ୍ତିମାନଙ୍କ ଉପସ୍ଥିତି ସହିତ ଦଳମନସ୍କତା ଥାଏ ସତ, କିନ୍ତୁ ଅନୁବନ୍ଧିତ ନ ଥାଏ ଜନଜୀବନର ଭାବନା। ଗଣତନ୍ତ୍ରରେ କେଉଁ ବ୍ୟକ୍ତିତ୍ୱର ସ୍ମୃତିରକ୍ଷା ପାଇଁ କ’ଣ କରାଯିବ ବା କେଉଁଠି ପ୍ରତିମୂର୍ତ୍ତି ସ୍ଥାପନ ହେବ ସେ ନିଷ୍ପତ୍ତି ସରକାର ନୁହେଁ, ଜନସାଧାରଣ ନେବା ଉଚିତ। କୌଣସି ରାଷ୍ଟ୍ରପୁରୁଷଙ୍କ ମୂର୍ତ୍ତିକୁ ଅତି ବଡ଼ କରି ଦେଖାଇବା ମଧ୍ୟ ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶକୁ ଆଧାର କରିଥିବା ଏକ ସଂକୀର୍ଣ୍ଣତା, ଯାହାକୁ ଅନ୍ୟ ରାଜନୈତିକ ଦଳ ବିରୋଧ କରିପାରେନି ଭୋଟ ହରାଇବା ଭୟରେ। ମାତ୍ର ଏହା ମହାପୁରୁଷଙ୍କ ପ୍ରତି ସମ୍ମାନ ନୁହେଁ ବରଂ ତାଙ୍କ ଆଦର୍ଶର ଅମର୍ଯ୍ୟାଦା। ଏହି ଦୃଷ୍ଟିରୁ ମୂର୍ତ୍ତି ନିର୍ମାଣ ପୂର୍ବରୁ ବ୍ୟକ୍ତିତ୍ୱର ଅନ୍ତଃସ୍ବରକୁ ଭେଦିବା ନିତାନ୍ତ ପ୍ରୟୋଜନ। ବିଶେଷକରି ଏ ଦିଗରେ ଆବଶ୍ୟକ ଅର୍ଥ ରାଜକୋଷରୁ ଖର୍ଚ୍ଚ ନ ହୋଇ ସର୍ବସାଧାରଣଙ୍କ ଦାନ ବା ଚାନ୍ଦାରେ ସମ୍ପାଦିତ ହେବା ଉଚିତ। ଏହାଦ୍ୱାରା ଏଥିପାଇଁ ଉଦ୍ଦିଷ୍ଟ ଅର୍ଥକୁ ସରକାର ବିନିଯୋଗ କରିପାରନ୍ତେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି କିମ୍ବା ଅନ୍ୟ କୌଣସି ଜନହିତକର କାର୍ଯ୍ୟରେ।
pks88a1962@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri