ପ୍ରତିବର୍ଷ ମାର୍ଚ୍ଚ ୫ରେ ଲୋକସେବା ଦିବସ

ଭୁବନେଶ୍ୱର,୬।୩(ବ୍ୟୁରୋ): ବିଜେଡି ସରକାର ପଞ୍ଚମ ପାଳିରେ ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଗଣତନ୍ତ୍ରର ମାଲିକ କହିବା ସହ ନିଷ୍ଠାର ସହିତ ସେବା କରିବାକୁ ସରକାରୀ କର୍ମଚାରୀ, ମନ୍ତ୍ରୀ ଏବଂ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ନାମକୁ ବଦଳାଯାଇ ଲୋକସେବା ଭବନ କରାଯାଇଛି। ଅନୁରୂପ ଭାବେ ଲୋକମାନଙ୍କ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଗୁରୁବାର ଲୋକସେବା ଭବନ କନଭେନଶନ ହଲ୍‌ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।