ପ୍ରଜ୍ଞାଙ୍କୁ ବ୍ରୋଞ୍ଜ ପଦକ

ବାଲିଆପାଳ,୫।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତ ଟିକରପଡ଼ା ଗ୍ରାମର ପାର୍ଥ ସାରଥି ସାହୁଙ୍କ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ମାଙ୍ଗାଲୋର ଠାରେ ଅନୁଷ୍ଠିତ ୮୦ତମ ଅଲ୍‌ ଇଣ୍ଡିଆ ୟୁନିଭରସିଟି ଖେଳ ପ୍ରତିଯୋଗିତାରେ ୪ଶହ ମିଟର ହୁଡୁଲ୍ସରେ ୩ୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ଗ୍ରାମ ଏବଂ ଅଖପାଖ ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ପ୍ରଜ୍ଞା ଦିଲ୍ଲୀରେ ଅନୁଷ୍ଠିତ ‘ଖେଲୋ ଇଣ୍ଡିଆ ’ ପ୍ରତିଯୋଗିତାରେ ଭାଗନେଇ ୧ଶହ ମିଟର ହୁଡୁଲ୍ସରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ନ୍ୟାଶନାଲ ଇଭେଣ୍ଟ ଶ୍ରୀଲଙ୍କାରେ ଖେଳି ୨ୟ ସ୍ଥାନ ଏବଂ ଝାଡ଼ଖଣ୍ଡରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗାୈରବ ଅଣିଥିଲେ। ପ୍ରଜ୍ଞା ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ଛାତ୍ରୀ । ଅଥାଭାବରୁ ଭଲ କୋଚିଂ ନେବା ପାଇଁ ସେ ସମର୍ଥ ହୋଇ ପାରୁ ନାହାନ୍ତି। ଏଣୁ କ୍ରୀଡ଼ା ବିଭାଗ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରଜ୍ଞା ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ ସଫଳତା ଆଣିପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।