ପ୍ରଚଣ୍ଡ ଗ୍ରୀଷ୍ମ: ୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଆଉଟ ପାଉଟ ହେଉଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା। ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଉପକୂଳରେ ମଧ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଯଦିଓ ତାତି କମ୍‌ ରହିଛି ତେବେ ଦେହମୁଣ୍ଡରୁ ଗମ୍‌ଗମ୍‌ ହୋଇ ଝାଳ ବୋହୁଛି। ଏଭଳି ପାଗ ଆହୁରି ୨ଦିନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବୁଧବାର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଡେଇଁ ଯାଇଛି। ରାଜ୍ୟର ୧୪ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ୪୩, ବୌଦ୍ଧ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୨.୫, ବଲାଙ୍ଗୀର ୪୨.୫, ତାଳଚେର ୪୨.୫, ସୋନପୁର ୪୨.୪, ଝାରସୁଗୁଡ଼ା ୪୨.୨, ଭବାନୀପାଟଣା ୪୨, ମାଲକାନଗିରି ୪୧, ଫୁଲବାଣୀ ୪୦.୪, ପାରଳାଖେମୁଣ୍ଡି ୪୦ ଏବଂ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡିରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉକ୍ତ ଜିଲାଗୁଡ଼ିକରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୩୦ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶା ଜିଲାଗୁଡ଼ିକରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଘରୁ ପଦାକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଶିଶୁମାନେ ପଦାକୁ ନ ବାହାରିବାକୁ ସତର୍କ କରାଯାଇଛି।