ପ୍ରକାଶ ପାଇଲା କାର୍ଯ୍ୟସୂଚୀ, ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି)ର ସାଙ୍ଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ୨୦୨୦ ଫେବୃୟାରୀ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତ କରିଥିଲେ। ତେବେ ୩୩ଟି ସାଙ୍ଗଠନିକ ଜିଲା ପାଇଁ ଜିଲା ନିର୍ବାଚନ ଅଧିକାରୀ ଓ ସମସ୍ତ ବ୍ଲକ ଏବଂ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତ କରିଥିବା ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରତାପ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୭ ତାରିଖରୁ ୨୦୨୦ ଜାନୁୟାରୀ ୧୩ ମଧ୍ୟରେ ହେବ। ଏଥିରେ ପଞ୍ଚାୟତ ସଭାପତି ସହ କମିଟି ସଭ୍ୟ, ନଗରାଞ୍ଚଳ ଓ୍ବାର୍ଡ ସଭାପତି ଏବଂ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ୨୦୨୦ ଜାନୁୟାରୀ ୧୪ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ଜାନୁୟାରୀ ୩୦ରୁ ଫେବୃୟାରୀ ୧୫, ଚତୁର୍ଥ ପର୍ଯ୍ୟାୟ ଫେବୃୟାରୀ ୧୬ରୁ ୧୮ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୨୩ରୁ ଆରମ୍ଭ ହୋଇ ସେହିମାସ ୨୬ରେ ଶେଷ ହେବ ବୋଲି ସେ କହିଛନ୍ତି।