ବୈପାରୀଗୁଡ଼ା,୨୭।୪(ଡି.ଏନ୍.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ ଉପରେ ପ୍ରକଳ୍ପ କରାଯାଇ ଏ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାରୀ କର୍ମଚାରୀ ଓ ଠିକାଦାର ଲାଭବାନ ହେଉଥିବା ବେଳେ ଲୋକେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି।
ବ୍ଲକ ସଦରର ଜନସଂଖ୍ୟା ପ୍ରାୟ ୭ ହଜାର। ଏମାନଙ୍କ ଲାଗି ଦୈନିକ ୨ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ପାହାଡ଼ିଆ ଜାଗା ହେତୁ ଖରାଦିନେ କୂଅ ଶୁଖିଯାଉଥିବା ବେଳେ ପାଇପ ପାଣି ଉପରେ ନିର୍ଭର କରିବାକୁ ପଡୁଛି । କିନ୍ତୁ ପାଇପ୍ ପାଣି ଆବଶ୍ୟକ ପରିମାଣରୁ ବହୁତ କମ୍ ଆସୁଛି। ପୁଣି ତାହା ନିୟମିତ ନୁହେଁ। ବର୍ଷକତଳେ ମୁଖ୍ୟଛକରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ବେଳେ ପାଇପ ସବୁ ବାହାର କରାଯାଇଥିଲା। ତେବେ ନୂଆ ପାଇପ୍ ଏ ପର୍ଯ୍ୟନ୍ତ ବିଚ୍ଛାଯାଇ ନ ଥିବାରୁ ଗୌଡ଼ସାହିକୁ ପାଣି ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଛି। ସେହିପରି ବିରଖମ୍ବ ସାହି, ଟାପାକାରିଆ ସାହି, ଭିଆଇପି କଲୋନି, ହନୁମାନ ନଗର ଓ କାଠମିଲ୍ ସାହିକୁ ପାଇପ୍ ପାଣି ଯାଉନାହିଁ । ବେଳେବେଳେ ମୁଖ୍ୟରାସ୍ତାରେ ତଳସାହିରୁ ଛକ ପର୍ଯ୍ୟନ୍ତ ପାଇପ୍ ପାଣି ଦିନକୁ ମାତ୍ର ୨୦ରୁ ୩୦ ମିନିଟ୍, ତାହା ମଧ୍ୟ ଅନିୟମିତ ଭାବେ ଆସୁଛି। ପାଣିର ଅଭାବ ଏତେ ଉତ୍କଟ ଯେ, ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଧାରଣ ଲୋକ ଓ ହୋଟେଲ୍ ଜଳଖିଆ ଦୋକାନୀଙ୍କୁ ଘରୋଇ ସଂସ୍ଥାଠାରୁ ପାଣି କିଣିବାକୁ ପଡୁଛି।
ସୂଚନାଯୋଗ୍ୟ ଯେ ବୈପାରୀଗୁଡ଼ା ସମେତ ଏହାର ଉପକଣ୍ଠ ଓ ଗୌଡ଼ଗୁଡ଼ା ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ବିଭିନ୍ନ ସମୟରେ ପ୍ରକଳ୍ପ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୦ ହଜାର ଲିଟର ଟାଙ୍କିରୁ ପାଣି ଯୋଗାଣ ଆରମ୍ଭ ହୋଇଥିଲା । ପରେ ସ୍ବଜଳ ଧାରା ଯୋଜନାରେ ଅନ୍ୟ ଏକ କମିଟି କରାଯାଇ ୧୫ ଲକ୍ଷ ଟଙ୍କା ଅଟ୍ଟକଳରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏକ ବୋରୱେଲ୍ ଖୋଳାଯାଇ ସ୍ବତନ୍ତ୍ର ଭାବେ ପାଇପ୍ ବିଚ୍ଛାଯାଇ ଘରକୁ ଘର ପାଣି ସଂଯୋଗ ଦିଆଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ବଜଳ ଧାରା କମିଟି ବୁଝୁଥିଲା। ବିଦ୍ୟୁତ ବିଲ୍ ବକେୟା ବଢିଯିବାରୁ ବିଦ୍ୟୁତ ବିଭାଗ ସଂଯୋଗ ଛିନ୍ନ କରିଥିଲା। ଫଳରେ ପୂର୍ବରୁ ଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଗୋଟିଏ ବୋରୱେଲ୍ ଉପରେ ପାଣି ପାଇଁ ନିର୍ଭର କରିବାକୁ ପଡ଼ିଲା । ପରେ ସରକାରୀ ନିଷ୍ପତ୍ତି ଅନୁସାରେ ଉଭୟ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ବୋରୱେଲର ପାଣି ନିଅଣ୍ଟିଆ ସତ୍ତ୍ବେ ସ୍ବଜଳଧାରା ବୋରୱେଲ କାର୍ଯ୍ୟକ୍ଷମ କରାନଯାଇ ପୁଣି ଏକ ଲକ୍ଷ ଲିଟର ପାଣି କ୍ଷମତା ବିଶିଷ୍ଟ ଅନ୍ୟ ଏକ ପାଣି ଟାଙ୍କି କରାଗଲା । ସେତିକିରେ ଯାହା ପାଣି ଆସୁଥିଲା ତାହା ନିଅଣ୍ଟ ହେଉଥିଲା। ୨ ବର୍ଷ ତଳେ ରାଞ୍ଚତ୍-ବିଜୟୱାଡ଼ା ରାସ୍ତା ନିର୍ମାଣ ବେଳେ ପାଇପ୍ ତାଡ଼ିଦିଆଯିବାରୁ ପରିସ୍ଥିତି ଜଟିଳ ହୋଇଗଲା । ଏବେ ଆଉ ଏକ ପ୍ରକଳ୍ପ ବାବଦକୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବୋରୱେଲ୍ ଖୋଳାଯାଇଥିବା ବେଳେ ହନୁମାନ ବାଟିକା ନିକଟରେ ପାହାଡ଼ ଉପରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସାଯାଇଛି। ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବୈପାରୀଗୁଡ଼ା ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ଉକ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ୪ ମାସ ବିତିଯାଇଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ନିମ୍ନମାନର କାମ ହୋଇଥିବାରୁ ତାହାର କାର୍ଯ୍ୟକାରିତା ନେଇ ସନ୍ଦେହ ପ୍ରକାଶ ପାଇଛି । ୩ ମାସ ତଳେ ପରୀକ୍ଷା ମୂଳକ ଭାବେ ଟାଙ୍କିକୁ ପାଣି ଚଢାଇବା ବେଳେ ପାଇପ୍ରୁ ପାଣି ଲିକେଜ୍ ହେବାରୁ ତାହା ବନ୍ଦ କରାଯାଇଥିଲା। ଟାଙ୍କି ବାବଦକୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏ ସଂପର୍କରେ ସ୍ଥାନୀୟ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏସ୍ଡିଓ ବିକେତ ମାଝିଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଥିଲେ ରାସ୍ତା ନିର୍ମାଣ କରୁଥିବା ଏନ୍ଏଚ କର୍ତ୍ତୃପକ୍ଷଙ୍କୁ ନୂଆରେ ପାଇପ ସଂଯୋଗ କରିବା ବାବଦକୁ ୨୨ ଲକ୍ଷ ଟଙ୍କାର ଏଷ୍ଟିମେଟ ଯାଇଥିଲା । ୨ ବର୍ଷ ବିତିଗଲାଣି । ଏଯାଏଁ ତାହା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପଇଠ କରାଯାଇ ନାହିଁ। ଫଳରେ ହନୁମାନ ବାଟିକାରେ ନୂତନ ଭାବେ ନିର୍ମାଣ ହେଉଥିବା ପାଣି ପ୍ରକଳ୍ପ ଅନୁଦାନକୁ ଡାଇଭର୍ଟ କରାଯାଇ ମୁଖ୍ୟରାସ୍ତା କଡ଼ରେ ତାଙ୍କ ବିଭାଗ ପକ୍ଷରୁ ପାଇପ ସଂଯୋଗ କରାଗଲା ନିଅଣ୍ଟିଆ ଅର୍ଥ କାରଣରୁ ହନୁମାନ ବାଟିକା ସ୍ଥିତ ନୂଆ ପାଣିଟାଙ୍କିରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ପ୍ରାୟ ୭ ଶହ ମିଟର ଦୂର ପାଇପ ସଂଯୋଗ କରାଯାଇ ପାରିଲା ନାହିଁ । ଫଳରେ ନୂଆଟାଙ୍କିରୁ ପାଣି ବୈପାରୀଗୁଡ଼ା ଗଁାକୁ ଦେବା ସମ୍ଭବ ହେଉନାହିଁ । ପୂର୍ବରୁ ଥିବା ଗୋଟିଏ ମାତ୍ର ପାନୀୟ ଜଳ ଉତ୍ସରେ ଜଳସ୍ତର କମିଆସିଲାଣି । ମୋଟର ୩ ଘଣ୍ଟା ଚାଲିଲେ ପରେ ପାଣି ଆଉ ଉଠୁନାହିଁ । ସେହିପରି ବୈପାରୀଗୁଡ଼ା ଗୌଡ଼ସାହିରେ ପାଇପ୍ ସଂଯୋଗ ପାଇଁ ପୂର୍ତ୍ତ ବିଭାଗକୁ ୭ ଲକ୍ଷ ଟଙ୍କା ମଗାଯାଇଥିଲା । କିନ୍ତୁ ପୂର୍ତ୍ତ ବିଭାଗ ମଧ୍ୟ ନିରବ ରହିଥିବାରୁ କାମ ଆଗେଇ ପାରୁନାହିଁ । ଏବେ ଅବୈଧ ଭାବେ ଲୋକେ ମନମୁଖୀ ଘରକୁ ପାଣି ସଂଯୋଗ କରୁଥିବା ବେଳେ ଅନେକ ଟୁଲ୍ ପମ୍ପ ବ୍ୟବହାର କରୁଛନ୍ତି ଯାହା ପାଣି ନିଅଣ୍ଟର ଅନ୍ୟ କାରଣ ବୋଲି ସେ କହିଛନ୍ତି। ତେବେ ନୂଆ ଟାଙ୍କି ନିର୍ମାଣରେ ନିମ୍ନମାନର କାମ ସଂପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନିର୍ମାଣସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଥିଲେ।
ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା
ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍ଏସ୍ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…
ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ
ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…
ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…
କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…
ଅମରନାଥଙ୍କୁ ପିଟିଲା କାର୍, ଚାଲିଗଲା ଜୀବନ
ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…
ଗୁଡ଼ାରି ଏନ୍ଏସିରେ ଜାତୀୟ ପତାକାକୁ ଅବମାନନା
ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…
ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….
ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…
Archives

