ପୌର ନିର୍ବାଚନକୁ ଓହ୍ଲାଇବ ଏଏପି

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଅଂଶଗ୍ରହଣ କରିବ। ଓଡ଼ିଶା ଗସ୍ତରେ ଥିବା ଦଳୀୟ ପ୍ରଭାରୀ ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରବିବାର ଏହା କହିଛନ୍ତି। ଏ ନେଇ ରାଜ୍ୟ କମିଟି ପକ୍ଷରୁ ପୂର୍ବରୁ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନେଇ ଏଏପି ରାଜ୍ୟ କମିଟି ନିଷ୍ପତ୍ତି ନେଇଛି। ଦିଲ୍ଲୀ ମଡେଲ ବିକାଶର ବାର୍ତ୍ତା ନେଇ ପୌର ନିର୍ବାଚନରେ ଦଳ ଲମ୍ଫ ମାରିବ। ଏବେଠାରୁ କିଏ କେଉଁ ୱାର୍ଡରେ ପ୍ରାର୍ଥୀ ହେବ, ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ଅନୁରୂପ ଭାବେ ଦଳ ପକ୍ଷରୁ ରାଜ୍ୟରେ ସଦସ୍ୟତା ଅଭିଯାନ ଜାରି ରହିଛି। ଚଳିତ ମାସ ୨୩ ଯାଏ ହେବାକୁ ଥିବା ଏହି ଅଭିଯାନରେ ଏଏପି ପକ୍ଷରୁ ପ୍ରାୟ ୨ ଲକ୍ଷ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସଞ୍ଜୟ କହିଛନ୍ତି ଯେ, ଦିଲ୍ଲୀ ଫଳାଫଳ ପରେ ସଦସ୍ୟ ସଂଖ୍ୟା ରାଜ୍ୟରେ ବଢ଼ିଛି। ପୌର ନିର୍ବାଚନରେ ଲଢ଼ିବା ପରେ ଦଳର ସ୍ଥିତି ଜଣାପଡ଼ିବ। ଏହାକୁ ଆଧାର କରି ଆଗାମୀ ଦିନରେ ସଙ୍ଗଠନ ସୁଦୃଢ କରାଯିବ। ସାରା ଦେଶର ଯେକୌଣସି ରାଜ୍ୟ ଅଥବା କେନ୍ଦ୍ରଶାସିତ ଅଞ୍ଚଳରେ ଏଏପିର କର୍ମୀ ମିଳିଯିବେ। ତେଣୁ ଏଏପିର ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ରହିବ। ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଆୟୁଧ କରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଦଳକୁ ସଫଳତା ଦେବ ବୋଲି ସଞ୍ଜୟ ଆଶାବାଦୀ।