Categories: କଟକ

ପୌରପାଳିକା ତରଫରୁ ଗରିବଙ୍କୁ ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନ ବ୍ୟାପିବା ପାଇଁ ଚୌଦ୍ୱାର ସହର ଲକ୍‌ଡାଉନ ଭିତରେ ରହିଛି। ନିହାତି ଆବଶ୍ୟକତା ନ ଥିଲେ ଘରୁ ବାହାରିବାକୁ ନିଷେଧ ଥିବାବେଳେ ଏଥିପ୍ରତି ପୋଲିସ ମଧ୍ୟ ସଜାଗ ରହିଛି। ଫଳରେ ଦିନ ମଜୁରିଆ, ନିରାଶ୍ରୟ, ଗରିବ ଏବଂ ଶ୍ରମିକମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଲକ୍ଷ୍ୟ ରଖି ଚୌଦ୍ୱାର ପୌରପାଳିକା ତରଫରୁ ବାସହୀନ, ଭିକାରି, ବାହାରୁ ଆସି କ୍ଷୁଦ୍ର ବ୍ୟବସାୟ କରୁଥିବା ଲୋକଙ୍କୁୁ ଦୈନିକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ା ଏହି କ୍ରମରେ ପୌରପାଳିକାର ୧୭ଟି ୱାର୍ଡରେ ଥିବା ୨୯୭ ପରିବାରକୁ ଚିହ୍ନଟ କରାଯାଇ ଦିନବେଳା ରନ୍ଧାଖାଦ୍ୟ ଓ ଉପରବେଳା ଚୁଡ଼ାଗୁଡ଼ ଦିଆଯାଉଥିବା ପୌରନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି। ଏସ୍‌ଏସ୍‌ଜି ଗ୍ରୁପ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବ। କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ପରିଚାଳନା ତଥା ସମଦୂରତା ଓ ଭିଡ ନ ଜମାଇବା ପାଇଁ ପୌର କର୍ମଚାରୀ ବିଚିତ୍ରାନନ୍ଦ ସ୍ବାଇଁ, ତପନ କୁମାର ସାହୁ ଓ ଝୁଲେନ୍ଦ୍ର ନାୟକ ପ୍ରମୁଖ ତଦାରଖ କରୁଛନ୍ତି। ଆଗାମୀ ଦିନରେ ପୌରାଞ୍ଚଳରରେ ଏଭଳି ଆହୁରି ପରିବାର ଥିବା ଓ ଉକ୍ତ ପରିବାରକୁ କିପରି ସହାୟତା ଯୋଗାଇଦିଆଯିବ ସେନେଇ ଉଚ୍ଚପଦାଧିକାରୀଙ୍କ ସହିତ ଆଲେଚନା କରିବେ ବୋଲି ବେହେରା କହିଛନ୍ତି।