ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାରେ ରହିଛନ୍ତି। କୃଷି ଶ୍ରମିକ ଓ ଗ୍ୟାସ କମ୍ପାନୀର ହେଲପର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଜିତେନ୍ଦ୍ର ଏବେ ଜେଏନୟୁରେ ପିଏଚ୍‌ଡି କରୁଛନ୍ତି। ତାଙ୍କର ଏହି ଦୀର୍ଘ ଛାତ୍ର ଜୀବନର ସଂଗ୍ରାମ ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପାଠପଢୁ ଥିବାବେଳେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା। ତାଙ୍କ ମା’ ଜଣେ ପନିପରିବା ବିକାଳି ଥିବା ବେଳେ ବାପା ଜଣେ କୃଷି ଶ୍ରମିକ। ମା’ଙ୍କ ମୃତ୍ୟୁ ପରେ ଜିତେନ୍ଦ୍ର ପାଠପଢା ସହିତ କୃଷି ଶ୍ରମିକ ଭାବେ କାମ କରୁଥିଲେ। ସେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ହାଇସ୍କୁଲ ପାଠପଢା ଶେଷ ହେବା ପରେ ସେ କାମ କରିବାକୁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ତାଙ୍କର ଜଣେ ଭାଇ ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡ (ଆଇଜିଏଲ) କାମ କରୁଥିଲେ। ଏଥିରେ ଜିତେନ୍ଦ୍ର ହେଲପର ଭାବେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଗାଁକୁ ଫେରି ଗ୍ରାଜୁଏଶନ ଶେଷ କଲେ। ପରେ ନାଗପୁରଠାରେ ଆମ୍ବେଡକର ଇଜମ ଓ ବୁଦ୍ଧିଇଜମ ଉପରେ ଏକ ଦଶ ମାସିଆ କୋର୍ସ କରିବା ପରେ ଅସ୍ପୃଶ୍ୟତା ଓ ଜାତିଆଣ ବିଭେଦ ଉପରେ ଅନେକ କଥା ଜାଣିପାରି ଥିଲେ। ଏହାପରେ ତାଙ୍କର ଇତିହାସ ପଢିବାକୁ ଇଚ୍ଛା ହୋଇଥିଲା। ୨୦୧୩ରେ ଇତିହାସରେ ଏମଏଏମଫିଲ କରିବା ପରେ ସେଠାରେ ହିଷ୍ଟରି ଅଫ୍‌ ଆଇଡେନାଟାଇଜ ଏଣ୍ଡ ଏକ୍ସକ୍ଲୁଶନ ଆମ୍ବେଡ଼କର ଆଣ୍ଡ ଦି ମାର୍ଜିନାଇଜ୍‌ରେ ପିଏଚଡି କରୁଛନ୍ତି। ବର୍ତ୍ତମାନ ସେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚନ ଲଢୁଛନ୍ତି।