ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ସହଯୋଗରେ ସମାଧାନ ହେବ ମାମଲା

ଢେଙ୍କାନାଳ ଅଫିସ,୪ା୧୦- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଜିଲାସ୍ତରୀୟ ପୋଲିସ-ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଜିଲାରେ ହେଉଥିବା ମାମଲା ଗୁଡିକୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ହେବାକୁ ଥିବା ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲାପାଳ କହିଥିଲେ। ଏସ୍‌ପି ଅନୁପମା ଜେମ୍ସ ପୂଜା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟମାନଙ୍କର ସହଯୋଗ କାମନା କରିଥିଲେ। ସହରାଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଏସ୍‌ପି ଗୁରୁତ୍ୱାରୋପ କରିଥିଲେ। ହିନ୍ଦୋଳ ଏସ୍‌ଡିପିଓ କାର୍ଯ୍ୟାଳୟ ପାଇଁ ଜାଗା ଯୋଗାଣ ସମ୍ପର୍କରେ ଆଲୋଚନା ହୋଇଥିଲା ା ହିନ୍ଦୋଳରେ ସରକାରୀ ଜାଗା ଅବରୋଧକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। କାମାକ୍ଷାନଗର ଓ ଭୁବନରେ ଦୁର୍ଗାପୂଜା ସମୟରେ ଅଧିକ ପୋଲିସ ମୁତୟନ ପାଇଁ ଆଲୋଚନା ହୋଇଥିଲା। ବେଆଇନ ଖଣି ଖନନ ଓ କ୍ରସର ଉପରେ ତହସିଲଦାରମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ମୋଟର ଗାଡିଗୁଡିକ ତନଖି କରାଯିବା ସହିତ ଆରଟିଓ କାର୍ଯ୍ୟାଳୟ ଦଲାଲମୁକ୍ତ କରାଯାଉଥିବା ସୂଚନା ଦିଆଯାଇଥିଲା ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ଭାବେ ଲକ୍ଷ୍ମୀପୂଜା ପୂର୍ବରୁ ଧରପଗଡ କରାଯିବ ବୋଲି ଆଲୋଚନା ହୋଇଥିଲା ା ଜିଲାରେ ମଦ୍ୟପାନ କରି ୧୧୦ ଗାଡ଼ି ଚାଳକ ଧରାପଡିଥିବା ସୂଚନା ଦିଆଯାଇଥିଲା। ଡଙ୍ଗାବୁଡି, ସାପକାମୁଡା, ବଜ୍ରପାତ ଜନିତ ମୃତ୍ୟୁର ଅନୁଗ୍ରହ ରାଶି ଚଳିତମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଜିଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ପିଡି ଡିଆରଡିଏ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ହିନ୍ଦୋଳ ଉପଜିଲାପାଳ ଉଦୟ କୁମାର ମହାପାତ୍ର, ଅବକାରୀ ଅଧୀକ୍ଷକ ମନୋଜ ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀବତ୍ସ ଦଳେଇ ପ୍ରମୁଖଙ୍କ ସମେତ ଜିଲାର ସମସ୍ତ ମାଜିଷ୍ଟ୍ରେଟ, ପୋଲିସ ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ା