ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ ଦେଖାଇ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଗୋଳନ୍ଥରା ଥାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଅଭିଯୋଗ ହୋଇଛି। ଏ ନେଇ ନଂ. ୧୨୨/୧୯ରେ ମାମଲା ରୁଜୁ କରାଯାଇଛି।

ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ କନିଷି ହାଟ ଗ୍ରାମର ନିରଞ୍ଜନ ସାହୁ ୬ବର୍ଷ ତଳେ ରଣ୍ଢାଗ୍ରାମର ପ୍ରଭାକର ଦାସଙ୍କଠାରୁ ୨ଲକ୍ଷ ୨୦ ହଜାର ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ଠିକ୍‌ ସମୟରେ ନିରଞ୍ଜନ ପ୍ରଭାକରଙ୍କୁ ଫେରାଇ ପାରି ନ ଥିଲେ। ଏ ନେଇ ପ୍ରଭାକର ବାରମ୍ବାର ନିରଞ୍ଜନଙ୍କୁ ଟଙ୍କା ମାଗିଥିଲେ ସୁଦ୍ଧା ସେ ନ ଦେଇ ଦିନ ଗଡାଇ ଚାଲିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ୪ ଜଣ ବ୍ୟକ୍ତି ଏକ ଗାଡ଼ି (ନଂ. ଓଡି୦୫ଏଏଚ୍‌୪୬୮୦)ରେ କନିଷି ହାଟରେ ନିରଞ୍ଜନଙ୍କ ସାନ ଭାଇ ନାରାୟଣଙ୍କ ହୋଟେଲକୁ ଆସି ଧମକ ଚମକ ଦେଇଥିଲେ ା ପରେ ତାଙ୍କ ବଡଭାଇଙ୍କ ସମ୍ପର୍କରେ ପଚାରିଥିଲେ। ସେଠାରୁ ନାରାୟଣଙ୍କୁ ବନ୍ଧୁକ ଦେଖାଇ ଅପରହଣ କରି ନେଇ ନିରଞ୍ଜନ କେଉଁଠି ଅଛନ୍ତି  ବୋଲି କହି ବ୍ରହ୍ମପୁର ନେଇଯାଇଥିଲେ। ଏହି ସମୟରେ ନାରାୟଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୁଣି ସନ୍ଧ୍ୟା ୭ଟାରେ ନାରାୟଣଙ୍କ କନିଷି ହାଟସ୍ଥିତ ଘରକୁ ଆସି ଧାର ଟଙ୍କା ନେଇଥିବା ସମ୍ପର୍କରେ ବଣ୍ଡ ପେପରରେ ଦସ୍ତଖତ କରିବାକୁ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ। ଏ ନେଇ ନାରାୟଣ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏଥିସହ ଗୋଳନ୍ଥରା ପୋଲିସ ୪ ଜଣଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିବା ଜଣାପଡ଼ିଛି।