ପୋଲିସ ଦେଖି ଦ୍ରୁତ ବାଇକ୍‌ ଚାଳନା, ସଚେତନ କଲେ ପ୍ରଶାସନ

ଜଟଣୀ,୫ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଲୋକଙ୍କୁ ପରିବା କିଣିବା ପାଇଁ ଚାଲିକି ଆସିବା ପାଇଁ କୁହାଯାଇଥିବାବେଳେ ଜଟଣୀରେ ବ୍ୟତିକ୍ରମ ଦେଖାଯାଇଛି। ଲୋକେ ବାଇକ ନେଇ ହାଟ ବଜାରକୁ ଆସୁଥିବୋବେଳେ ପୋଲିସ ଆସିବା ଦେଖି ଦ୍ରୁତଗତିରେ ଚାଲିଯାଉଛନ୍ତି। ଏହାଦ୍ୱାର ଦୁର୍ଘଟଣାର ସମ୍ଭାବନା ସୃଷ୍ଟି ହେଉଛି। ଏହା ବାରମ୍ବାର ହେବାରୁ ଅତିିିରିକ୍ତ ତହସିଲଦାର ଦିଲୀପ ଷଡଙ୍ଗୀ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଅନ୍ୟ କର୍ମଚାରୀ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଥିଲେ। ପୋଲିସ୍‌ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଅନେକ ସମୟରେ ଲୁଚକାଳି ଖେଳ ଖେଳୁଛନ୍ତି। ଏପରି କି ବାଇକ ଛାଡ଼ି ଦୌଡ଼ି ପଳାଉଛନ୍ତି। ଏଣୁ ଅଭିଭାବକମାନେ ଏଥିପ୍ରତି ସତର୍କ ରହିବା ସହ ପିଲାମାନଙ୍କୁ ସଚେତନ କରିବାକୁ ପ୍ରଚାର କରାଯାଇଥିଲା। ଏହାଛଡ଼ା ବାହାରୁ କେହି ଆସୁଥିଲେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ବୁଝାଇଥିଲେ। ଏହାଛଡ଼ା ଅଗ୍ନିଶମ ବିଭାଗ ପକ୍ଷରୁ ସହର ଓ ଗ୍ରାମାଞ୍ଚଳକୁ ସ୍ପ୍ରେ କରାଯାଇ ବିଶୋଧନ ଜାରି ରହିଛି।