ପୋଲିସ ଜବତ ଚୋରିଡକାୟତିଠାରୁ ସାଂଘାତିକ

ସହଦେବ ସାହୁ
ବୟୋବୃଦ୍ଧଙ୍କ ସଂଗଠନ ଏଜ୍‌ କେୟାର୍‌ ଆସୋସିଏଟ୍‌ସର ଅଧ୍ୟକ୍ଷ ଭାବେ ମୁଁ ଆଇଆର୍‌ସି ଭିଲେଜ୍‌ ଥାନା ସାମ୍‌ନା ସିଏଇଟ୍‌ କ୍ୱାର୍ଟରରେ ଥିବା ଅଫିସ୍‌ ଗୃହକୁ ଗଲେ ମୋ ଆଖିରେ ପଡେ କୁଢ କୁଢ ଗାଡିର ପାହାଡ। ଗୋଟିଏ ଗାଡି ଉପରେ ଆଉ ଗୋଟିଏ ଗାଡି ରଖା ହୋଇଥିବାର ଦେଖେ। ସେଗୁଡିକ ପୋଲିସ ଜବତ କରିଥିବା ଯାନବାହନ। ଧରା ହେଲା କ୍ଷଣି ପୋଲିସ ହେପାଜତରେ ରହିବା କଥା। ଥାନା ପରିସରରେ ଜାଗା ନ ଥିବାରୁ ସେଗୁଡିକୁ ଥାନା ସାମ୍‌ନାରେ, ରାସ୍ତା କଡରେ, କିମ୍ବା ଖୋଲା ଜାଗାରେ ରଖାଯାଇଥାଏ। ଜାଗା ଅଭାବରୁ ଗୋଟିଏ ଗାଡି ଉପରେ ଆଉ ଗୋଟିଏ ଗାଡି ରଖାଯାଇଥାଏ। ଥାନାବାବୁ ଭଲ ଲୋକ ହୋଇଥିଲେ ପରିଚୟପତ୍ର ଦେଖାଇ ମାଲିକ ଗାଡି ନେଇପାରେ, କିମ୍ବା ମାର୍ଫତରେ ଗାଡି ରଖିପାରେ। ନଚେତ୍‌ ଚୋରି ବା ଡକାୟତି ମାମଲା ନ ସରିଲା ଯାଏ ଗାଡି ପୋଲିସ୍‌ ‘ଜିମା’ରେ ପଡିରହିଥାଏ। ଏ ତ ନାଁକୁ ଜିମା, ପୋଲିସ କିଛି ଦାୟିତ୍ୱ ନିଏ ନାହିଁ, ପ୍ରକୃତ ମାଲିକ ପଇସା (ଲାଞ୍ଚ) ନ ଦେଇପାରିଲେ ଗାଡି ଖତ ଖାଏ। ମାମଲାଗୁଡିକ ବହୁତ ଦିନ ଲାଗେ। କେତେକ କ୍ଷେତ୍ରରେ ମାମଲା ସୁରୁ ହେବା ଲାଗି ପ୍ରଥମ ରିପୋର୍ଟ କୋର୍ଟକୁ ଯିବାରେ ଏତେ ଡେରି ହୁଏ ଯେ, ବେଳେ ବେଳେ ଥାନା ଅଧିକାରୀମାନଙ୍କ ସଲାସୁତରାରେ ଖଳ ଲୋକମାନେ ଗାଡିର ପାର୍ଟ୍‌ସ କାଢି ନିଅନ୍ତି, ଅବା ଚୋରାରେ ବିକ୍ରି ହୋଇ ଯାଏ। ଚୋରା ବଜାରରେ ଆମ ଗାଡି ମରାମତି ପାଇଁ ଦରକାରୀ ପାର୍ଟସ୍‌ ମିଳିବାର ଏହା ହିଁ କାରଣ। ଏଥିପାଇଁ କୌଣସି ପୋଲିସ ଅଧିକାରୀଙ୍କୁ ଦାୟୀ କରାଯାଏ ନାହିଁ। ଏଥିରେ ଦୁଇ ରକମର କ୍ଷତି- ଚୋର ଗାଡିଟିକୁ ବ୍ୟବହାର କରିପାରିଲା ନାହିଁ କିମ୍ବା ପଇସା ପାଇବା ପାଇଁ ବିକି ପାରିଲା ନାହିଁ। ଦ୍ୱିତୀୟରେ ମାଲିକ ତା’ ଗାଡିଟି ସବୁଦିନ ପାଇଁ ହରାଇଲା। ଖରାତରାରେ ପଡି ରହି ଗାଡିଟି ନଷ୍ଟ ହେବା ହିଁ ସାର ହେଲା। ଦେଶର ଜିଡିପି କମିବାର ଏ ଗୋଟିଏ କାରଣ। ଆଇନ ଅନୁଯାୟୀ ଜବତ ବସ୍ତୁଗୁଡିକ ଆଇନତଃ ନଷ୍ଟ ହୋଇଯାଏ।
ସରକାରୀ ଜବତ ବି ଦେଶର ଐତିହ୍ୟକୁ ନଷ୍ଟ କରୁଛି। ସମ୍ପ୍ରତି ଖବରକାଗଜରେ ବାହାରିଥିଲା ଯେ ମାଡ୍ରାସର ଗୁଇଣ୍ଡିଠାରେ ସିବିସିଆଇଡି ଇକୋନମିକ୍‌ ଅଫେନ୍ସେସ୍‌ ଉଇଙ୍ଗ୍‌ ଜବତ କରି ରଖିଥିବା ପୁରାତନ ମୂର୍ତ୍ତିିଗୁଡିଏ ଛିନ୍ନ ବିଚ୍ଛିନ୍ନ ହୋଇ ଫୋପଡା ହୋଇଛି ଅଫିସରଙ୍କ ପାର୍କିଂ ଜାଗାରେ। ସେଗୁଡିକର ମୂଲ୍ୟ କଳନା କରିହେବ ନାହିଁ। ଆଉ କେତେକ ପଥର, ବ୍ରୋଞ୍ଜ ଓ କାଠର ପ୍ରାଚୀନ ମୂର୍ତ୍ତି ଆଦିଆର ନଦୀ କୂଳରେ, ନଦୀ ମାତ୍ର ଗୋଟିଏ ପାଚେରି ପରେ ଅଛି। କେତେ ବର୍ଷ ହେଲା ମୂର୍ତ୍ତିଗୁଡିକ ପଡିରହିଛି କହିହେବ ନାହିଁ। ପ୍ରତ୍ନତାତ୍ତ୍ବିକ ବସ୍ତୁଗୁଡିକ ଭିତରେ ରହିଛି ଖୋଦିତ ମୂର୍ତ୍ତି, ପୂର୍ଣ୍ଣାବୟବ ମୂର୍ତ୍ତି ଖୋଦିତ ପ୍ରସ୍ତର ସ୍ତମ୍ଭ, ସୂକ୍ଷ୍ମ କାରୁକାର୍ଯ୍ୟରେ ମଣ୍ଡିତ କାଷ୍ଠ ଖଣ୍ଡ, ମନ୍ଦିର ରଥ, ବିଭିନ୍ନ ବାହନ ଓ ଦେବଦେବୀଙ୍କ ଉପାସନା ଉପକରଣ। ତହିଁରେ ଅଛି ୨୦୧୬ରେ ଜବତ ହୋଇଥିବା ପ୍ରତ୍ନତାତ୍ତ୍ବିକ ବସ୍ତୁ। ଆଣ୍ଟିକ୍‌ ବା ପ୍ରାଚୀନବସ୍ତୁର ବ୍ୟବସାୟୀ ଅଲୱାର ପେଟ୍‌ର ଜି. ଦୀନଦୟାଲନ୍‌ଙ୍କ ଗୋଦାମରୁ ପ୍ରାୟ ୮୦୦ ପଥର ମୂର୍ତ୍ତି ବା କାରୁକାର୍ଯ୍ୟପୂର୍ଣ୍ଣ କଳାକୃତି ଜବତ କରାଯାଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ତାଙ୍କ ସହଯୋଗୀ କୁଚିକାଡୁର ଲକ୍ଷ୍ମୀ ନାରାୟଣନ୍‌ଙ୍କ ବଙ୍ଗଳା ଓ ଗ୍ୟାଲେରୀରୁ ପ୍ରାୟ ୨୦୦ କାଠ ତିଆରି ପ୍ରାଚୀନ ବସ୍ତୁ ଜବତ କରାଯାଇଥିଲା। କାଞ୍ଚିପୁରମ୍‌ ଜିଲାର ସଇଦା ପେଟ୍‌ର ରଣବୀର ଶାହଙ୍କ ୨ଟି ଖଳାରୁ ୨୨୪୪ଟି ପ୍ରାଚୀନ ମୂର୍ତ୍ତି ଓ କଳାକୃତିକୁ ଉକ୍ତ ବିଭାଗର ଆଇଡଲ୍‌ ଉଇଙ୍ଗ (ମୂର୍ତ୍ତି ଶାଖା) ଜବତ କରିଛି। ମହିଳା ବ୍ୟବସାୟୀ କିରଣ ରାଓଙ୍କ ଓସ୍‌ ଗାର୍ଡେନ ପରିସରରୁ ୨୩ଟି ମୂର୍ତ୍ତି ଜବତ କରାଯାଇଥିଲା। ଏହି ପୁରାତନ ବସ୍ତୁଗୁଡିକ ଆଇଡଲ୍‌ ଉଇଙ୍ଗ ଚାର୍ଜରେ ଥିବା ସେ ସମୟର ଆଇଜି ପୋଲିସ ଏ.ଜି. ଫନମାନିକା ଭେଲ୍‌ ଜବତ କରିଥିଲେ। ଅବସର ପରେ ସେ ବର୍ତ୍ତମାନ ଉକ୍ତ ସ୍ପେଶାଲ ୟୁନିଟ୍‌ର ସ୍ପେଶାଲ ଅଫିସର ଭାବେ କୋର୍ଟ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଫୌଜଦାରି ଦଣ୍ଡବିଧି ସଂହିତା (ସିଆର୍‌ପିସି) ଅନୁସାରେ ଯଦି ଜଣେ ତଦନ୍ତକାରୀ ଅଫିସର ପ୍ରାଚୀନ ବସ୍ତୁ ଜବତ କରେ ସେ ଏ ସମ୍ପର୍କରେ ଏକ ମକଦ୍ଦମା ରୁଜୁ କରିବେ ଏବଂ ମକଦ୍ଦମା ସରିଗଲେ ପ୍ରକୃତ ମାଲିକ କିମ୍ବା ମନ୍ଦିରକୁ ବସ୍ତୁଗୁଡିକ ଫେରାଇ ଦିଆଯିବ। ସେତେବେଳକୁ ଜବତ ସାମଗ୍ରୀ ମାଟି ନ ଖାଇଥିଲେ ହେଲା।
ଏ ଦିଗରେ ସରକାରଙ୍କ ନଜର ପଡ଼ୁନାହିଁ। ହିନ୍ଦୁ ରିଲିଜିୟସ୍‌ ଚାରିଟେବଲ ଏଣ୍ଡାଓମେଣ୍ଟ ଡିପାର୍ଟମେଣ୍ଟ ଜବତ-ଅଧିକାରୀମାନଙ୍କୁ ଜାଗା ଦେବେ କହିଥିଲେ ବି ଖାଲି ଜାଗା ଦେଖାଉଛନ୍ତି ସିନା ଏ ଯାବତ୍‌ କୌଣସି ଜାଗା ଆବଣ୍ଟନ କରି ନାହାନ୍ତି। ଆଇଡଲ ଉଇଙ୍ଗ ଅଧିକାରୀମାନେ ଡରୁଛନ୍ତି ଯେ କଳାକୃତିଗୁଡିକ ଦିନେ ଆଦିୟାର ନଦୀର ବଢିରେ ନଷ୍ଟ ହୋଇଯିବ। କଳା ବିଶାରଦମାନେ, ପ୍ରତ୍ନତତ୍ତ୍ବବିତ୍‌ମାନେ ଏବଂ ସଂସ୍କୃତି ରକ୍ଷାରେ ଉତ୍ସାହୀ ଲୋକେ ଏ ସମ୍ପର୍କରେ ବହୁବାର ଜଣାଇଥିଲେ ଓ ବହୁ ପ୍ରତିବାଦ କରିଥିଲେ ବି କୌଣସି ଫଳ ମିଳି ନାହିଁ।
ଖରାପଡିଲେ ପଥର ପ୍ରସାରିତ ହୁଏ, ରାତିରେ ତାହା ସଙ୍କୁଚିତ ହୁଏ। ଗ୍ରୀଷ୍ମଋ଼ତୁରେ ସଂପ୍ରସାରିତ ହୁଏ ଶୀତଋତୁରେ ସଙ୍କୁଚିତ ହୁଏ। ଜଳବାୟୁର ଏଭଳି ପ୍ରଭାବରେ ପ୍ରାଚୀନ ବସ୍ତୁଗୁଡିକର ଉପର ଆବରଣର ଛାଲି ଉଠିଯାଏ। ଚଢେଇମାନେ ତା’ ଉପରେ ବସି ମଳତ୍ୟାଗ କରନ୍ତି। ତାକୁ କାଗଜ ମଣ୍ଡ କିମ୍ବା ତଦ୍ରୂପ ବ୍ୟବସ୍ଥାରେ ଦୂର ନ କଲେ ପ୍ରାଚୀନ ବସ୍ତୁଗୁଡିକ ନଷ୍ଟ ହେବାକୁ ଆରମ୍ଭ କରେ।
ଆଜିକାଲି ବାୟୁ ପ୍ରଦୂଷଣ ଅତି ମାରାତ୍ମକ ହେଲାଣି। ଆମ ଘର ଦୁଆରେ ଯଦି ଧୂଳି ଧୂଆଁର ମୋଟା ମୋଟା ପରସ୍ତ ପଡିଯାଉଛି ତେବେ ମୂର୍ତ୍ତିଗୁଡିକ ଉପରେ ମଧ୍ୟ ସେଭଳି ପଡୁଥିବ। ପଥର ଓ କାଠର ମୂର୍ତ୍ତିଗୁଡିକରେ ବା ସ୍ତମ୍ଭରେ ଯେଉଁ କାରୁକାର୍ଯ୍ୟ ହୋଇଥିବ ତାହା ଖରା ଓ ବର୍ଷାରେ ନଷ୍ଟ ହୋଇଯିବ। ଆଜିକାଲି ପ୍ରଥମ କେତୋଟି ଅସରା ବର୍ଷାରେ ପଥର ଉପରେ ଅମ୍ଳ ଜମିଯାଏ। ସିଲିକା ବ୍ୟତୀତ ଅନ୍ୟ ମିନେରାଲ୍‌ ଏସିଡ୍‌ ପଡିଲେ ଶୀଘ୍ର ନଷ୍ଟ ହୋଇଯାଏ। କାଠ କଥା କ’ଣ କହିବା? ଖରାତରାରେ ପଡିରହିଲେ କାଠ ଖୁବ୍‌ ଶୀଘ୍ର ନଷ୍ଟ ହୋଇଆସେ। ପାଣି କାଠକୁ ଫୁଲାଇ ଦିଏ ଓ ଖରା ସଙ୍କୁଚିତ କରେ। ଆମେ ତ କବାଟ ଝରକା ଉପରେ ଦେଖୁଛୁ। ଏଭଳି ଖରାବର୍ଷାର ପ୍ରଭାବ କାଠକୁ ଫଟାଇ ଦିଏ ଓ ମୂର୍ତ୍ତିକୁ କୁରୂପ କରିଦିଏ। ମୂର୍ତ୍ତିର ରଙ୍ଗ ଛଡାଇଦିଏ। ନୂଆଦିଲ୍ଲୀର ପୁରାନା କିଲ୍ଲାଠାରେ ଭାରତର ଆର୍କିଓଲୋଜିକାଲ ସର୍ଭେ ଗୋଟିଏ ସ୍ବତନ୍ତ୍ର ମ୍ୟୁଜିୟମ୍‌ ଖୋଲିଛି, ଯେଉଁଠି ଜବତ କରାହୋଇଥିବା କଳାକୃତି ତଥା ମରାମତି ହୋଇଥିବା କଳାକୃତିଗୁଡ଼ିକୁ ରଖାହୋଇଛି। ଏହି ବ୍ୟବସ୍ଥା ଯଦି ସବୁ ପ୍ରଦେଶରେ ହୁଅନ୍ତା ତେବେ ଚୋରି ଡକାୟତିରୁ ଉଦ୍ଧାର କରାହୋଇଥିବା ଆମ ଐତିହ୍ୟ ରକ୍ଷା ପାଇଯାଆନ୍ତା।
ଆମ ଦେଶରେ ଚୋରି ଡକାୟତିରେ ବର୍ଷକୁ ଯେତେ ଗାଡିଘୋଡା ଏବଂ ପ୍ରତ୍ନତାତ୍ତ୍ବିକ ସାମଗ୍ରୀ ଯାଏ ତାହାର ମୂଲ୍ୟ ୧୦୦୦ କୋଟି ଟଙ୍କାରୁ ଅଧିକ ହେଉଥିଲା ବେଳେ ଲାଞ୍ଚ କାରବାରରେ ଆହୁରି ୧୦୦୦ କୋଟି ଖର୍ଚ୍ଚ ହେଉଛି କହିଲେ କଥାଟା ସରିଯାଉନାହିଁ, ସାମାଜିକ ନୈତିକତା କେତେ ନଷ୍ଟ ହେଉଛି କେହି ଭାବୁନାହାନ୍ତି। ଏହାର ବଡ ସମାଧାନ ହେଉଛି ଚୋରି ଡକାୟତିରୁ ଜବତ ଜିନିଷକୁ ୨୪ ଘଣ୍ଟା ଭିତରେ ମାଲିକକୁ ଫେରାଯାଉ କିମ୍ବା ସରକାର ମ୍ୟୁଜିୟମ୍‌ ଭଳି ସୁରକ୍ଷିତ ଜାଗାରେ ରଖନ୍ତୁ। ଡିଜିଟାଲ୍‌ ଯୁଗରେ ଇଣ୍ଟରନେଟରେ ପ୍ରଚାର କରାଯାଇ କେହି ମାଲିକ ବୋଲି ସାମାନ୍ୟତମ ପ୍ରମାଣ ଦେଇପାରିଲେ ତାହାର ଜିମାରେ ଗାଡି ବା ପ୍ରତ୍ନତାତ୍ତ୍ବିକ ସାମଗ୍ରୀ ରଖାଯାଉ। ମାମଲା ସରିବା ଉପରେ ନିର୍ଭର କରା ନ ଯାଉ। ମାମଲା ସରିଲାବେଳକୁ ଜବତ ସାମଗ୍ରୀ ସବୁ ବ୍ୟବହାର ଅଯୋଗ୍ୟ ହୋଇଗଲେ ଆମର ଜିଡିପି ସେତିକି ନଷ୍ଟ ହେଉନାହିଁ କି ଏବଂ ଆମ ସଂସ୍କୃତିର ସେତିକି ସନ୍ତକ ଲିଭିଯାଉ ନାହିଁ କି?
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri