ପୋଲିସ କମିଶନରଙ୍କ ବକ୍ତବ୍ୟକୁ ନେଇ ଚର୍ଚ୍ଚା: ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର, ୪ା୧(ବ୍ୟୁରୋ): କମିଶନରେଟ ପୋଲିସର ୧୨ତମ ପ୍ରତିଷ୍ଠା ଦିବସରେ ଗୁରୁବାର ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୪୬ ଜଣ ମହିଳା ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ବାମୀ ଓ ସ୍ତ୍ରୀଙ୍କର ରୋଷେଇ କରିବା ଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ତରକାରିରେ ଟିକେ ଲୁଣ କମ ହେଲେ ଆମେ ଘରେ ମହିଳାମାନଙ୍କ ଉପରେ ବିରକ୍ତ ହେଉ। ହେଲେ ବର୍ଷତମାମ ମହିଳାମାନେ ବିନା ଦ୍ୱିଧାରେ କାମ କରନ୍ତି। ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ବାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର। ଯେଉଁ ଯୁବକମାନେ ରୋଷଇ ଜାଣନ୍ତି ନାହିଁ ତାଙ୍କୁ ଝିଅମାନେ ବିବାହ କରିବା କଥା ନୁହେଁ ବୋଲି ସେ କହିଥିଲେ। ଏହାକୁ ନେଇ ବିଜେଡି ମୁଖପାତ୍ର ତଥା ଆଇନଜୀବୀ ଲେନିନ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଲିଙ୍ଗଗତ ସମାନତା କଥା କୁହାଯାଉଥିବାବେଳେ କେବଳ ମହିଳା ଏସପିଓଙ୍କୁ କାହିଁକି ନିଯୁକ୍ତି ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷା ଲାଗି ପୁରୁଷମାନଙ୍କୁ ମଧ୍ୟ ଆହ୍ବାନ କରିବା ଦରକାର। ମହିଳା ଓ ପୁରୁଷ ଏକାଠି ମିଶି କାମ କଲେ ଅଧିକ ସଫଳତା ମିଳିପାରିବ। ସେହିପରି ଯେଉଁ ପୁରଷମାନେ ରୋଷେଇ ଜାଣନ୍ତି ନାହିଁ, ସେମାନେ କ’ଣ ମହିଳାଙ୍କୁ ସମ୍ମାନ କରିବା ଜାଣନ୍ତି ନାହିଁ କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି। ଏଭଳି ମନ୍ତବ୍ୟରୁ ଉଚ୍ଚପଦସ୍ଥ ଅଧିକାରୀ ଓ ଆମ୍ଭେମାନେ ଦୂରରେ ରହିବା ଦରକାର ବୋଲି ସେ କହିଥିଲେ। ଏ ନେଇ ପୋଲିସ କମିଶନର ଶୁକ୍ରବାର ନିଜ ଟୁଇଟର ଆକାଉଣ୍ଟ ଓ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ନିଜର ଦକ୍ଷତା ପାଇଁ ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ତଥାପି ଘରକରଣା କାମ କେବଳ ମହିଳାଙ୍କର ବୋଲି ପୂର୍ବପରି ଧାରଣା ରହି ଆସିଛି। ଆମକୁ ମହିଳାମାନଙ୍କ ପ୍ରତି ଏବଂ ସେମାନଙ୍କ ଅବଦାନକୁ ସମ୍ମାନ ଦେବାକୁ ପଡ଼ିିବ। ଯେଉଁ କାମ କେବଳ ମହିଳାମାନଙ୍କର ବୋଲି ପୁରୁଷମାନେ ଭାବୁଛନ୍ତି, ସେହିଭଳି କାମକୁ ପୁରୁଷମାନେ ସମ୍ମାନ ଦିଅନ୍ତୁ ବୋଲିି ମୁଁ କହିଥିଲି। ମହିଳାମାନଙ୍କ ଦକ୍ଷତା ପ୍ରତି ଅସମ୍ମାନ ହିଁ ଅପରାଧ ବୋଲି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।