ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ସ୍ବାଇଁ (୨୯) ଗୁରୁତର ହୋଇଛନ୍ତି। ତାଙ୍କ ବାମଗୋଡ଼ର ପଛପଟ ଆଣ୍ଠୁ ଉପରକୁ ଗୁଳି ମାଡ଼ ହୋଇଥିବାରୁ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅପରାଧୀଙ୍କ ପକ୍ଷରୁ ମଧ୍ୟ ପୋଲିସ ଉପରକୁ ୨ ରାଉଣ୍ଡ୍‌ ଗୁଳିଚାଳନା ସହ ବୋମାମାଡ଼ କରାଯାଇଥିଲା। ବୋମାମାଡ଼ରେ ଏଏସ୍‌ଆଇ ଯୁଧିଷ୍ଠିର ମାଝି ଓ ଓଡ଼ିଶା ସଶସ୍ତ୍ର ବାହିନୀର ଜଣେ କନଷ୍ଟେବଳ ହରେକୃଷ୍ଣ ଶବର ଆହତ ହୋଇଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆସିକା ଡାକ୍ତରଖାନାରେ ପ୍ରାଥମିକି ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଗୁରୁ ତାଙ୍କର ଅନ୍ୟ ଜଣେ ସହଯୋଗୀ ଦାଦାବଟି ସଂଗ୍ରହ ପାଇଁ ଏକ ନମ୍ବର ବିହୀନ ବାଇକ୍‌ରେ ଯାଇଥିବାବେଳେ ପୋଲିସ ଖବର ପାଇ ତାଙ୍କ ପିଛା କରିଥିଲା। ଘଟଣାସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି ଖୋକା ଓ ଗୋଟିଏ ବାଇକ୍‌ ଜବତ କରିଛି। ତେବେ ଗୁରୁ ସହ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଗୁରୁଙ୍କ ନାମରେ ବିଭିନ୍ନ ଥାନାରେ ୧୩ଟି ହତ୍ୟା, ଡକାୟତି, ଦାଦାବଟି ଆଦାୟ ପରି ସଙ୍ଗୀନ ଅଭିଯୋଗସବୁ ଥିବା ଜାଣିବାକୁ ମିିଳିଛି। ଆସିକା ଥାନାଧିକାରୀ ପୀତବାସ ଧାରୁଆଙ୍କ ନେତୃତ୍ୱରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା।