ପୋଲିସ ଉପରକୁ ଗୁଳି ଚାଳନା ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ,୧୯।୧୨: ୨୦୧୦ ଜୁନ୍‌ ୨୪ ତାରିଖରେ କଟକ ଓଡ଼ିଆ ବଜାର ନିକଟରେ ଏକ ଗଣ୍ଡଗୋଳ ଘଟିଥିଲା। ଖବରପାଇ ଏଏସ୍‌ଆଇ ପ୍ରିୟବ୍ରତ୍ତ ଦାସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ପିସିଆର ଭ୍ୟାନ୍‌ରେ ସେଠାକୁ ଯାଇଥିଲେ। ମାତ୍ର ଗଣ୍ଡଗୋଳ କରୁଥିବା ସୟଦ୍‌ ଖାନ୍‌ ନାମକ ଯୁବକ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଗୁଳିକାଣ୍ଡରୁ ଭ୍ୟାନ୍‌ରେ ଥିବା ପୋଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ନେଇ ଲାଲବାଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ସୟଦ ଖାନ୍‌ଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ଉକ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅତିରିକ୍ତ ସେସନ ଜଜ୍‌ ତାଙ୍କ ରାୟ ଶୁଣାଇଛନ୍ତି। ଏହି ରାୟ ଅନୁଯାୟୀ, ସୟଦଙ୍କୁ ୫ ବର୍ଷ ଜେଲ୍‌ ସହିତ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଆଦାୟ ହୋଇ ନ ପାରିଲେ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ଏପିପି ତାପସ ବାରିକ ମାମଲା ପରିଚାଳନା କରୁଥିଲେ।