ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍‌ଆଇ ରାତି ସାରା ଅଟକ

ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର ବିଳମ୍ବିତ ରାତିରେ ଘଟିଥିବା ଏକ ଘଟଣା ସାହିବାସୀଙ୍କୁ ଏପରି ସନ୍ଦେହରେ ପକାଇଥିଲା ଯେ ସେମାନେ ବାହାର ଅଞ୍ଚଳର ଜଣେ ଯୁବକଙ୍କ ସହ ଥାନାର ୨ଜଣ ଏସ୍‌ଆଇଙ୍କୁ ରାତି ସାରା ଅଟକ ରଖିଥିଲେ। ଖବରପାଇ ସୋମବାର ସକାଳେ ଥାନା ଅଧିକାରୀ ଆନନ୍ଦ ଡୁଙ୍ଗଡୁଙ୍ଗ ପହଞ୍ଚି ବୁଝାଶୁଝା କରିବା ସହ ଯୁବକ ଜଣକ ପୋଲିସର ସୂଚନାଦାତା ବୋଲି ପରିଚୟ ଦେବା ପରେ ସାହିବାସୀ ଅଟକଙ୍କୁ ଛାଡିଦେଇଥିଲେ।
ସାହିବାସୀଙ୍କ କହିବା ଅନୁଯାୟୀ, ୩ ଦିନ ତଳେ ନର ବେହେରାଙ୍କ ଘରୁ ଚୋରି ହୋଇଥିଲା। ଏହାପରେ ଚୋରି ରୋକିବାକୁ ସାହିର ଲୋକମାନେ ରାତିରେ ସଜାଗ ରହୁଥିଲେ। ରବିବାର ରାତି ପ୍ରାୟ ୧୨ଟାରେ ଏକ କାର୍‌ ସାହି ଆଡ଼େ ଆସୁଥିବା ବେଳେ ଲୋକମାନଙ୍କୁ ଦେଖି ପଛକୁ ଫେରି ଅନ୍ୟଆଡ଼େ ପଳାଇଥିଲା। ଏହି ସମୟରେ ବାହାର ଅଞ୍ଚଳର ଜଣେ ଯୁବକ ଏକ ବାଇକ୍‌ (ନଂ. ଓଡି୧୯ଜି-୫୦୭୦)ରେ ସେଠାରେ ପହଞ୍ଚିଥିଲେ। ଲୋକେ ତାଙ୍କୁ ଘେରିଯାଇ ପଚରାଉଚରା କରିବାରୁ ସେ ନିଜକୁ ସାଦା ପୋଷାକରେ ଥିବା ପୋଲିସ ବୋଲି କହିଥିଲେ। ଏପରି କି ଫୋନ କରି ପୋଲିସକୁ ଡାକୁଛି କହି ଜଣେ ଅଧିକାରୀଙ୍କୁ ଫୋନ କରିଥିଲେ। ଫୋନ ଯିବାର ମାତ୍ର କିଛି ସମୟ ମଧ୍ୟରେ ଥାନାର ଦୁଇ ଏସ୍‌ଆଇ ଜନ୍ମେଜୟ ପାତ୍ର ଓ ବ୍ରଜକିଶୋର ମଲ୍ଲିକ ସେଠାରେ ପହଞ୍ଚିବା ପରେ ଲୋକଙ୍କ ସନ୍ଦେହ ବଢିଯାଇଥିଲା। ଥାନାର ଦୂରତା ୧୦ କିମିରୁ ଅଧିକ ହୋଇଥିବାବେଳେ ଏତେ ଶୀଘ୍ର ପୋଲିସ କିପରି ପହଞ୍ଚିଲା ତାହାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାଛଡ଼ା ପୋଲିସ ପରିଚୟ ଦେଉଥିବା ଯୁବକ ଜଣକ ପୂର୍ବରୁ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଆଲୋଚନା ହେଉଥିବାରୁ ଲୋକଙ୍କ ସନ୍ଦେହ ଅଧିକ ବଢ଼ିଯାଇଥିଲା। ଏପରି ଜଣେ ଯୁବକଙ୍କ ସହ ପୋଲିସର କି ସମ୍ପର୍କ ରହିଛି ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିବା ସହ ସେମାନଙ୍କୁ ଅଟକ ରଖିଥିଲେ। ସକାଳ ପ୍ରାୟ ୭ଟାରେ ଥାନା ଅଧିକାରୀଙ୍କ ସମେତ ଏସ୍‌ଆଇ ସମରଜିତ ନାୟକ, ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ପ୍ରମୁଖ ପହଞ୍ଚି ସାହିବାସୀଙ୍କ ସହ ଆଲୋଚନା କରି ୨ ଅଧିକାରୀଙ୍କୁ ମୁକୁଳାଇଥିଲେ। ଏଥିସହ ଯୁବକଙ୍କୁ ଲୋକେ ପୋଲିସ ଜିମା ଦେଇଥିଲେ।
ଏ ସମ୍ପର୍କରେ ଅଟକ ଯୁବକ କହିଛନ୍ତି, ସେ ପୋଲିସର ସୂଚନାଦାତା ଭାବେ କାର୍ଯ୍ୟ କରୁଛନ୍ତି। ରାତିରେ ସାହି ଆଡ଼କୁ ଯାଉଥିବା କାର୍‌କୁ ସେ ଫଲୋ କରୁଥିବା ବେଳେ ସାହିବାସୀ ତାଙ୍କୁ ଅଟକ ରଖିଥିଲେ। ସେହିପରି ଅଟକ ଥିବା ଏସଆଇ ଜନ୍ମେଜୟ ପାତ୍ର ଓ ବ୍ରଜକିଶୋର ମଲ୍ଲିକ କହିଛନ୍ତି, ଖାଲପାଳରେ ଲୋକେ ଜଣକୁ ଅଟକ ରଖିଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଖବରପାଇ ଯାଇଥିଲୁ। ପିତିରି ଅଞ୍ଚଳରେ ରାତ୍ର ପାଟ୍ରୋଲିଂ କରୁଥିବାରୁ ଅଳ୍ପ ସମୟରେ ସାହିରେ ପହଞ୍ଚି ଯାଇଥିଲୁ। ଲୋକେ ଯୁକ୍ତିତର୍କ କରିବାରୁ ଯୁବକଙ୍କୁ ଚିହ୍ନି ନ ଥିବା କହିଥିଲୁ। ଥାନା ଅଧିକାରୀ ଡୁଙ୍ଗ ଡୁଙ୍ଗ କହିଛନ୍ତି, ପୋଲିସ ଯୁବକ ଜଣକୁ ଚିହ୍ନିଛି। ସେ ମଧ୍ୟ ପୋଲିସକୁ ସୂଚନା ଦେଉଛନ୍ତି। ଏ ନେଇ ଥାନାରେ କିଛି ଅଭିଯୋଗ ହୋଇ ନ ଥିବା ଡୁଙ୍ଗଡୁଙ୍ଗ ପ୍ରକାଶ କରିଛନ୍ତି।