ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ

କଟକ ଅଫିସ୍‌, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶୁକ୍ରବାର ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଏବଂ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଦେବା ସହ ଅନ୍ୟମାନଙ୍କ ମତ ସଂଗ୍ରହ କରିଥିଲେ। କରୋନା ମୁକାବିଲାରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିଲା। ପୋଲିସ କର୍ମଚାରୀମାନେ କରୋନାରୁ କେମିତି ନିଜକୁ ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ ସେମାନଙ୍କୁ ତାଲିମ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।
କରୋନା ପ୍ରଭାବିତ ଜିଲା ଏବଂ ସୀମା ତନଖି ଫାଟକ ଥିବା ଜିଲା ସମ୍ପର୍କରେ ପୃଥକ ଭାବେ ଆଲୋଚନା କରାଯାଇଥିଲା। ଉଭୟ ଜିଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡ଼ାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦି ସରଞ୍ଜାମ ପ୍ରଦାନ କରାଯିବ। ସାମାଜିକ ଦୂରତାକୁ ସମସ୍ତେ ଗୁରୁତ୍ୱ ଦେବେ। ଅନାବଶ୍ୟକ ମିଳାମିଶାଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। କରୋନା ପ୍ରଭାବିତ ଜିଲାରେ ଆକସ୍ମିକ ପାଣ୍ଠି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସୀମା ତନଖି ଫାଟକ ଥିବା ଜିଲାଗୁଡ଼ିକରେ ତନଖି ଫାଟକ ପାଇଁ ଧାର୍ଯ୍ୟ ମାନଦଣ୍ଡ (ଏସ୍‌ଓପି)କୁ କାର୍ଯ୍ୟକାରୀ କରାଯିବ। ପାଦଚଲା ଓ ସାଇକେଲରେ ଆତଯାତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନି, ଯତୀନ୍ଦ୍ର କୋଏଲ, ଏଆଇଜି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।