Categories: ଗଞ୍ଜାମ

ପୋଲସରାରେ ସିରିଜ୍‌ ବୋମାମାଡ଼

ହାତୀଓଟ,୨୭ା୧୦-ଗଞ୍ଜାମ ଜିଲା ପୋଲସରାସ୍ଥିତ ବଜାରସାହି ଛକରେ ଶନିବାର ରାତି ପ୍ରାୟ ୯ଟାରେ ସିରିଜ୍‌ ବୋମାମାଡ ହୋଇଛି। ଏକ ବିଦେଶୀ ମଦ ଦୋକାନ ଆଗରେ ଦୁର୍ବୃତ୍ତମାନେ ବାଇକରେ ଆସି ପ୍ରଥମେ ୨ଟି ବୋମାମାଡ କରିଥିଲେ। ସେଠାରୁ ଯାଇ ରାଣିପଡା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ଗୋଟିଏ ବୋମା ପକାଇବା ସହ ରାଣିପଡା ଠାକୁରାଣୀ ମନ୍ଦିର ସମ୍ମୁଖରେ ଆଉ ଗୋଟିଏ ବୋମା ପକାଇଥିଲେ। ପରେ ବୁଢାମ୍ବ ରାସ୍ତା ପଟେ ପଳାଇଯାଇଥିବା ଜଣାପଡିଛି। ବାଇକରେ ଦୁଇଜଣ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ପୋଲସରା ପୋଲିସ ବୋମା ଫିଙ୍ଗିଥିବା ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ ଖବର ଲେଖାହେବା ସୁଦ୍ଧା ସେମାନଙ୍କ ଟେର୍‌ ପାଇନାହିଁ। କ’ଣ ପାଇଁ ବୋମା ମାଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ରାତି ପାହିଲେ ଦୀପାବଳି ଥିବାରୁ ଏପରି ସିରିଜ୍‌ ବୋମାମାଡ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପୋଲସରା ଥାନା ପକ୍ଷରୁ ପାଟ୍ରୋଲିଂ କଡାକଡି ସହ କୌଣସି ଅଘଟଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।