ପୋଖରୀରେ ବୁଡ଼ି ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ, କୁଆଁରମୁଣ୍ଡା ରେଞ୍ଜର-ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସୁନ୍ଦରଗଡ଼/କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳ ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଛୁଆ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ରା ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିଭଳି କୁଆଁରମୁଣ୍ଡା ଭାରପ୍ରାପ୍ତ ରେଞ୍ଜର ମନୋଜ ଟିଗ୍‌ଗା ଓ କଲୁଙ୍ଗା ଫରେଷ୍ଟର ବିନିତା ବାରୁଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ରାଉରକେଲା ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ଶନିବାର ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗୁରୁବାର ରାତିରେ ରତୁକପେଡ଼ି ସଂରକ୍ଷିତ ଜଙ୍ଗଲର ସାନଡୋଲାକୁଦରେ ଥିବା ବନ ବିଭାଗ ନର୍ସରୀ ନିକଟସ୍ଥ ପୋଖରୀକୁ ଏକ ୭ଜଣିଆ ହାତିପଲ ପାଣି ପିଇବା ଲାଗି ଯାଇଥିଲେ। ହେଲେ କୌଣସି କାରଣରୁ ଉକ୍ତ ପଲରେ ଥିବା ହାତୀଛୁଆଟି ପୋଖରୀରୁ ବାହାରି ପାରି ନ ଥିଲା। ଏହା ଜାଣି ପାରି କୁଆଁରମୁଣ୍ଡା ବନ ରେଞ୍ଜ ହାତୀ ଘଉଡ଼ାଳିମାନେ ସେଠାରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ହେଲେ ହାତୀଛୁଆଟି ବୁଡ଼ି ଯାଇଥିବା ନେଇ ରାତିରେ ଜଣାପଡ଼ି ନ ଥିଳା। ଶୁକ୍ରବାର ଅପରାହ୍ନରେ ତାର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୁଆଁରମୁଣ୍ଡା ବନ ରେଞ୍ଜ କର୍ମଚାରୀ ପହଞ୍ଚି ହାତୀକୁ ଉଦ୍ଧାର କରିଥିଲେ।