ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ନନ୍ଦିକା ଗ୍ରାମର ବିଜୟ ଗିରିଙ୍କ ପୁଅ ଗୌରଗୋପାଳ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟରେ ହୋଇଥିବା ଗଣେଶ ପୂଜାରେ ଲାଗିବା ପାଇଁ ଦିଆଯାଇଥିବା ବହି ବସ୍ତାନୀ ଆଣିବାକୁ ଯାଇଥିଲେ। ସେ ବହି ବସ୍ତାନୀ ଆଣି ଘରେ ରଖି ପାଖରେ ଥିବା ପୋଖରୀକୁ ଗୋଡ଼ ଧୋଇବା ପାଇଁ ଯାଇଥିଲେ। ପୋଖରୀରୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକମାନେ ତାଙ୍କୁ ଖୋଜିବା ପାଇଁ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ତାଙ୍କୁ ନ ପାଇବାରୁ ସେ ପୋଖରୀରେ ବୁଡିଯାଇଥିବା ଅନୁମାନ କରି ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ପାଣି ଭିତରୁ ଉଦ୍ଧାର କରି ସ୍ଥାନୀୟ ଜିକେଭଟ୍ଟର ହସ୍‌ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ଜଳେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗୌରଗୋପାଳ ସ୍ଥାନୀୟ ନନ୍ଦିକା ମଇ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ଥିଲେ।