ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା

ବନ୍ତଳା,୫।୧୧(ଡି.ଏନ.ଏ.)

ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ କମିଟି। ଜିଲାରେ ପ୍ରଥମ କରି ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ହାଇସ୍କୁଲରେ ଶିକ୍ଷା ପରିଚାଳନା ଉନ୍ନୟନ କମିଟି ପକ୍ଷରୁ ୧୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହି ସିସିଟିଭି ଲଗାଇବା ପାଇଁ ଶିକ୍ଷା ପରିଚାଳନା ଓ ଶିକ୍ଷା ପରିଚାଳନା ଉନ୍ନୟନ କମିଟିରେ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ଆଣିବା ପରେ କମିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟର ୫ଟି ଶ୍ରେଣୀଗୃହ, ଗେଟ୍‌, ଖେଳପଡିଆ, ସ୍କୁଲ ପରିସର, କମନ ରୁମ, ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଏହି କ୍ୟାମେରା ଲଗାଯାଇଛି। ବିଦ୍ୟାଳୟ ଅନୁଦାନ ପାଣ୍ଠି ଓ କମିଟି ସଦସ୍ୟମାନଙ୍କ ସହାୟତାରେ ଏଥିପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ କେତେଜଣ ଶିକ୍ଷୟିତ୍ରୀଶିକ୍ଷକ ଏହାକୁ ବିରୋଧ କରିଛନ୍ତି। ଫଳରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। କେତେକ ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ଠିକ୍‌ ଭାବରେ ପାଠ ପଢ଼ାଉ ନ ଥିବାରୁ ଆଗାମୀ ବାର୍ଷିକ ପରୀକ୍ଷାରେ ଛାତ୍ରୀଛାତ୍ରମାନେ ନୈରାଶ୍ୟଜନକ ପ୍ରଦର୍ଶନ କଲେ ସେଥିପାଇଁ ସେମାନେ ଦାୟୀ ରହିବେ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ କମିଟି ଦ୍ୱାରା ବିଦ୍ୟାଳୟରେ ସିସିଟିଭି ଲଗାଯିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ସ୍ବାଗତଯୋଗ୍ୟ କରିଛନ୍ତି। ଶିକ୍ଷା ପରିଚାଳନା କମିଟି ସଭାପତି ଦିନେଶ ଦେହୁରୀ, ସରପଞ୍ଚ ରୀନାରାଣୀ ପ୍ରଧାନ, ବିଜୟ ମହାପାତ୍ର, ସୁରେଶ ସାହୁ, ତପସ୍ବିନୀ ସାହୁ, ସୁବାସିନୀ ସାହୁ, ତୀର୍ଥ ବେହେରା, ପ୍ରଦୀପ ପ୍ରଧାନ, ଅହଲ୍ୟା ଦେହୁରୀ, ରଞ୍ଜନ ସାହୁ, କଲ୍ୟାଣି ବେହେରା, ସୁଜାତା ବେହେରା, ଲିଲି ବେହେରାଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ସିସିଟିଭି କ୍ୟାମେରା ଲଗାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ମୁଦୁଲି କହିଛନ୍ତି, କମିଟିର ସହଯୋଗ ଯୋଗୁ ସିସିଟିଭି ଲାଗି ପାରିଛି। ଏଥିରେ ବିରୋଧ ନ କରି ସହଯୋଗ କରିବା ଆବଶ୍ୟକ। ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଶିକ୍ଷା କମିଟି ସହଯୋଗରେ ଯେଉଁ ସିସି କ୍ୟାମେରା ଲାଗିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ୟ ବିଦ୍ୟାଳୟ ଓ ଶିକ୍ଷା କମିଟି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହା ଠାରୁ କିଛି ଶିଖିବା ଦରକାର।