Categories: ଖେଳ

ପୃଥ୍ବୀ ଶ’ ଡୋପିଂ ମାମଲା: ବିସିସିଆଇର କାର୍ଯ୍ୟଧାରାକୁ ସମାଲୋଚନା

ନୂଆଦିଲ୍ଲୀ, ୯|୮ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗୁରୁବାର ପୃଥ୍ବୀ ଶ’ ଡୋପିଂ ଉଲ୍ଲଂଘନ ମାମଲା ଉପରେ ଏହାର ଟାଇମ୍‌ ଲାଇନ୍‌ ପ୍ରକାଶ କରିଛି। ୧୯ ବର୍ଷୀୟ ଓପନରଙ୍କଠାରୁ ସାମ୍ପଲ ସଂଗ୍ରହ ଏବଂ ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ରିପୋର୍ଟ ମଧ୍ୟରେ ସମୟ ବ୍ୟବଧାନ ଦୁଇ ମାସରୁ ଅଧିକ ଥିବା ଏଥିରୁ ସୂଚନା ମିଳିଛି। ବିସିସିଆଇର ଏହି ମନ୍ଥର କାର୍ଯ୍ୟ ଯୋଗୁ ପୃଥ୍ବୀ ଆଇପିଏଲ, ମୁମ୍ବାଇ ଟି୨୦ରେ ଖେଳିପାରିଥିଲେ। ଏହାଛଡ଼ା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ଟ୍ରେନିଂ ନେଇ ପାରିଥିଲେ। ଟାଇମ୍‌ ଲାଇନ୍‌ରେ ଆହୁରି ମଧ୍ୟ ଏନ୍‌ଡିଟିଏଲ୍‌ ନିକଟକୁ ବୋର୍ଡ ଏକ ରିମାଇଣ୍ଡର ପଠାଇଥିବା ସୂଚିିତ ହୋଇଛି। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଏହି ମାମଲାରେ ପ୍ରଶ୍ନ ଉଠାଇପାରେ। ବିସିସିଆଇ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପରିସରଭୁକ୍ତ ହେବା ଲାଗି ବାରମ୍ବାର ଗୁରୁତ୍ୱାରୋପ କରିଆସୁଛି। ସୂଚନାଯୋଗ୍ୟ, ଏକ ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ବିସିସିଆଇ ଗତ ମାସରେ ପୃଥ୍ବୀଙ୍କୁ ୮ମାସ ବାସନ୍ଦ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଅସୁସ୍ଥତା କାରଣରୁ ପୃଥ୍ବୀ କଫ୍‌ ସିରପ୍‌ ବ୍ୟବହାର କରିଥିଲେ। ସେଥିରେ ନିଷିଦ୍ଧ ଦ୍ରବ୍ୟ ଟର୍ବୁଟାଲିନର ମାତ୍ରା ରହିଥିବା ବିଷୟରେ ସେ ଅଜ୍ଞ ଥିଲେ। ପୃଥ୍ବୀଙ୍କ ବାସନ୍ଦ ଦଣ୍ଡ ପିଛିଲା ମାର୍ଚ୍ଚ ୧୬ରୁ ଲାଗୁ କରାଯାଇଥିଲା। ନଭେମ୍ବର ୧୫ରେ ଏହାର ମିଆଦ ଶେଷ ହେବ। ଯାହାଫଳରେ ପୃଥ୍ବୀ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଭାରତର ଘରୋଇ ସିରିଜରେ ଖେଳିପାରିବେ ନାହିଁ। ଇନ୍ଦୋରରେ ସୟେଦ ମୁସ୍ତାକ ଅଲୀ ଟ୍ରଫି ବେଳେ ଗତ ଫେବୃୟାରୀ ୨୨ରେ ଅନୁଷ୍ଠିତ ବିସିସିଆଇର ଆଣ୍ଟି ଡୋପିଂ ଟେଷ୍ଟିଂ ପ୍ରୋଗ୍ରାମ୍‌ ବେଳେ ପୃଥ୍ବୀଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।

Share