ପୃଥିବୀ ନିଶ୍ଚିହ୍ନ ହେବ କି

ଡ. ନିଖିଳାନନ୍ଦ ପାଣିଗ୍ରାହୀ
କେହି ରହି ନାହିଁ ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ।“ (ରାଧାନାଥ ରାୟ) ଏହି ସୁବିଦିତ ପଦ୍ୟାଂଶରେ ପୃଥିବୀକୁ ଏକ ରଙ୍ଗମଞ୍ଚ ହିସାବରେ କଳ୍ପନା କରାଯାଇଛି। ଏଠାରେ ଆମେ ପ୍ରତ୍ୟେକେ ଜଣେ ଜଣେ ଅଭିନେତା, ନିଜ ନିଜ ଅଭିନୟ ସରିଯିବା ପରେ ଆମେ ଇହଲୀଳା ସମ୍ବରଣ କରି ଏଠାରୁ ବିଦାୟ ନେବା।
ମଣିଷ-ସମାଜ ପାଇଁ ଉଦ୍ଦିଷ୍ଟ ଏହି ଉପମାକୁ କେହି କେହି ସମଗ୍ର ଜୀବଜଗତ ସକାଶେ ପରିବର୍ଦ୍ଧିତ କରିପାରନ୍ତି। ଫଳରେ ସୀମିତ ପରିସରରେ ଆବଦ୍ଧ ନ ରହି ବିଷୟଟିର ଗଭୀର ଓ ବିସ୍ତୃତ ବିଶ୍ଳେଷଣ କରାଯାଇପାରିବ। ସଚରାଚର ଧରାଧାମରେ ଉଭୟ ସ୍ଥାବର ଓ ଜଙ୍ଗମ ସତ୍ତା ବିଦ୍ୟମାନ। ସ୍ଥାବର ଶ୍ରେଣୀରେ ଗତିହୀନ ବୃକ୍ଷ, ପର୍ବତ ଇତ୍ୟାଦି ପରିଦୃଷ୍ଟ ହୁଅନ୍ତି। ଏମାନଙ୍କ ମଧ୍ୟରେ ପୁଣି ବୃକ୍ଷ ପରି ସଜୀବ ଓ ପାହାଡ ପରି ନିର୍ଜୀବ ଅନ୍ତର୍ଭୁକ୍ତ। ସଜୀବ ବିଷୟ ବିଚାର କରିବା ବେଳେ ଆମେ ଗଛମାନଙ୍କୁ ଦୃଷ୍ଟାନ୍ତ ଭାବେ ନେଇପାରୁ। ଏହାର ଜୀବନ-ଚକ୍ରର ତିନୋଟି ଭାଗ ହେଉଛି ଉତ୍ପତ୍ତି, ବିକାଶ ଓ ବିନାଶ। କ୍ଷୁଦ୍ର ହେଉ ବା ବୃହତ୍‌, ପ୍ରତ୍ୟେକଟି କ୍ଷେତ୍ରରେ ଏହା ରୀତିମତ ଦେଖାଯାଏ। ପ୍ରଶ୍ନ ଉଠୁଛି ଯଦି ଗଛଟିଏ ମରିଯାଏ ଏବଂ କାଳକ୍ରମେ ବିଲୁପ୍ତ ହୋଇଯାଏ, ସେତେବେଳେ ମୋଟାମୋଟି ଭାବେ ପୃଥିବୀର ବସ୍ତୁତ୍ୱ ହ୍ରାସ ପାଏ କି?
ବସ୍ତୁତ୍ୱ ହେଉଛି କୌଣସି ପଦାର୍ଥରେ ଥିବା ବସ୍ତୁର ପରିମାଣ। ବିଜ୍ଞାନର ସଂଜ୍ଞା ଅନୁସାରେ, ବସ୍ତୁତ୍ୱ ଅପରିବର୍ତ୍ତନୀୟ, କିନ୍ତୁ ଓଜନ ସ୍ଥାନ ଉପରେ ନିର୍ଭରଶୀଳ। ତେଣୁ ଆମେ ବସ୍ତୁତ୍ୱକୁ ହିସାବକୁ ନେବା। ଗଛର ଉପାଦାନ ହେଉଛି ମୁଖ୍ୟତଃ କାର୍ବନ ଓ ଅକ୍ସିଜେନ। ଏହା ସେ ବାୟୁଠାରୁ ଆହରଣ କରିଥାଏ। ଭୂପୃଷ୍ଠର ନିକଟସ୍ଥ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ଯୋଗାଏ। ଗଛ ଆଲୋକ-ସଂଶ୍ଳେଷଣ ଦ୍ୱାରା ଶକ୍ତି ପାଇଥାଏ। ପୁଣି ବିନା ଜଳରେ ଗଛ ତିଷ୍ଠିପାରିବ ନାହିଁ। ଏଥିପାଇଁ ଭୂତଳ ଜଳ ଓ ବର୍ଷା ପାଣି ସହାୟକ ହୁଅନ୍ତି। ମୋଟାମୋଟି ଭାବେ ଗଛର ଉପାଦାନମାନ ଆରମ୍ଭରୁ ଆମ ପୃଥିବୀରେ ଥାଆନ୍ତି। ଗଛ ମରିଯିବା ପରେ ଏଇ ସମସ୍ତ ଅଣୁ ପୃଥିବୀ ବାହାରକୁ ନ ଯାଇ ଆମ ପୃଥିବୀରେ ହିଁ ରହନ୍ତି। ତେଣୁ ଗଛ ମରୁ ବା ବଞ୍ଚୁ ପୃଥିବୀର ବସ୍ତୁତ୍ୱ ଯଥାପୂର୍ବଂ ତଥା ପରମ୍‌। ଅବଶ୍ୟ ମୃତ୍ୟୁ ପରେ ବୃକ୍ଷର ଅଣୁମାନ ଗଛର ଶରୀରରୁ ସ୍ଥାନାନ୍ତରିତ ହୋଇଥାନ୍ତି। ତେଣୁ ପୃଥିବୀର ବସ୍ତୁତ୍ୱ ଉପରେ ଏହାର ନକାରାତ୍ମକ ପ୍ରଭାବ ନାହିଁ। ପୃଥିବୀର ବସ୍ତୁତ୍ୱ ହିସାବ କରିବାବେଳେ ବାୟୁମଣ୍ଡଳ ଓ ସେଥିରେ ବିଦ୍ୟମାନ ଧୂଳିକଣା, ତଥା ମହାକାଶରୁ ପ୍ରବେଶ କରିଥିବା ମହାଜାଗତିକ ଅଣୁ ଇତ୍ୟାଦିକୁ ଯୋଗ କରାଯାଏ। ଏହି ମହାଜାଗତିକ ଅଣୁରେ ଧୂମକେତୁର ଲାଞ୍ଜ, ଗ୍ରହାଣୁ, ସୂର୍ଯ୍ୟ ଦ୍ୱାରା ସୃଷ୍ଟ ଆୟନ ଇତ୍ୟାଦି ରହିଥାଏ। ଏହି ପ୍ରକାରେ ବହିରାଗତ ଅଣୁ ପ୍ରତି ମୁହୂର୍ତ୍ତରେ ଭୂପୃଷ୍ଠ ବା ବାୟୁମଣ୍ଡଳରେ ଜମା ହେଉଥିବାରୁ ପୃଥିବୀର ବସ୍ତୁତ୍ୱ ବଢିଯାଏ। ପ୍ରତିଦିନ ଏହି ବୃଦ୍ଧିର ପରିମାଣ ତେୟାଳିଶ ଟନ। କିନ୍ତୁ ପୃଥିବୀର ବସ୍ତୁତ୍ୱ ତୁଳନାରେ ଏହା ଅତି ନଗଣ୍ୟ।
ଅବଶ୍ୟ ଆମ ବାୟୁମଣ୍ଡଳର ଅଣୁମାନ ବିଭିନ୍ନ କାରଣରୁ ଖସି ମହାକାଶକୁ ଚାଲିଯିବା କଥା। କିନ୍ତୁ ପୃଥିବୀର ବସ୍ତୁତ୍ୱ ଅଧିକ ହୋଇଥିବାରୁ ପୃଥିବୀର ମାଧ୍ୟାକର୍ଷଣ ଏହାକୁ ଟାଣି ବାନ୍ଧି ରଖିଥାଏ। ତତ୍‌ ସହ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆୟନମାନଙ୍କୁ ନିୟନ୍ତ୍ରଣ କରିଥାଏ। ତଥାପି କିଛି କିଛି ହାଇଡ୍ରୋଜେନ, ହିଲିୟମ ପରି ହାଲୁକା ଗ୍ୟାସ ଆମ ବାୟୁମଣ୍ଡଳରୁ ଖସିଯାଏ। ଆମର ମେରୁ ଅଞ୍ଚଳରେ ଏହି ପ୍ରକ୍ରିୟା ଅଧିକ ମାତ୍ରାରେ ସଂଘଟିତ ହୋଇଥାଏ। ସୂର୍ଯ୍ୟ ଦ୍ୱାରା ଜାତ ଆୟନମାନ ସାଧାରଣତଃ ଇଲେକ୍ଟ୍ରୋନ ଓ ପ୍ରୋଟନ ହୋଇଥାନ୍ତି। ସୌର ପବନ ସେକେଣ୍ଡ ପିଛା ୯୦୦ କିଲୋମିଟର ଯାଏ ଗତିଶୀଳ। ଏହି ଆୟନଗୁଡିକର ତାପମାତ୍ରା ଏକ ନିୟୁତ ଡିଗ୍ରୀ ସେଲସିୟସ୍‌। ଏମାନେ ଅତି ଶକ୍ତିଶାଳୀ। ପୃଥିବୀର ମେରୁ ଅଞ୍ଚଳରେ ଜମି ରହୁଥିବା ହାଲୁକା ଗ୍ୟାସ୍‌ ସହ ସୂର୍ଯ୍ୟରୁ ନିର୍ଗତ ଶକ୍ତିଶାଳୀ ଆୟନର ପ୍ରତିକ୍ରିୟା ସ୍ବରୂପ ମେରୁ-ପବନ ସୃଷ୍ଟି ହୁଏ। ସୌର-ପବନ ଓ ମେରୁ-ପବନ ମଧ୍ୟରେ ପ୍ରତିକ୍ରିୟା ଦ୍ୱାରା ବାୟୁମଣ୍ଡଳରୁ କିଛି ହାଲୁକା ଗ୍ୟାସ ଖସି ଚାଲିଯାନ୍ତି। ତେଣୁ ପ୍ରତିଦିନ ଶହ ଶହ ଟନ ଗ୍ୟାସ ପୃଥିବୀ ହରାଏ। ଏଥିରୁ ପୃଥିବୀର ବସ୍ତୁତ୍ୱ କ୍ରମଶଃ କମିବାରେ ଲାଗିଛି। ଏହି ମହାଜାଗତିକ କାରଣରୁ ପୃଥିବୀର ବସ୍ତୁତ୍ୱ ପ୍ରତି ବିପଦ ଦେଖାଦେଇଛି। ହୁଏତ ଏହି ପ୍ରକ୍ରିୟାରେ ପୃଥିବୀର ବାୟୁମଣ୍ଡଳ ସୁଦୂର ଭବିଷ୍ୟତରେ ନିଶ୍ଚିହ୍ନ ହୋଇପାରେ ବୋଲି କେହି କେହି ମତ ଦେଇପାରନ୍ତି। କିନ୍ତୁ କିଛି ବୈଜ୍ଞାନିକ ମତପୋଷଣ କରିଛନ୍ତି ଯେ, ଏହି ଅଘଟଣରୁ ଆମ ଗ୍ରହ ବାୟୁଶୂନ୍ୟ ହେବା ପୂର୍ବରୁ ଅନ୍ୟ କାରଣ ପାଇଁ ଖୋଦ୍‌ ସୂର୍ଯ୍ୟ ମୃତ ହୋଇଯିବ। ସୂର୍ଯ୍ୟ ପୃଥିବୀ ପାଇଁ ସମସ୍ତ ଶକ୍ତିର ଆଧାର। ତେଣୁ ସୂର୍ଯ୍ୟ ଯଦି ଆଗୁଆ ମୃତ୍ୟୁବରଣ କରିବ ତେବେ ପୃଥିବୀର ମରଣ ଉପରେ ଗୁରୁତ୍ୱ ଦେବା ଅନାବଶ୍ୟକ। କାରଣ ସେତେବେଳକୁ ପୃଥିବୀ ଓ ସୂର୍ଯ୍ୟ ଏକାସାଙ୍ଗରେ ମୃତ ହୋଇଯାଇଥିବେ।
ବ୍ରହ୍ମପୁର, ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri