ପୃଥିବୀରେ ୮୦ କୋଟି ଭୋକିଲା: ୟୁନିସେଫ୍‌ ରିପୋର୍ଟ

ଜେନେଭା,୧୫।୧୦: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେଙ୍କ ଦ୍ୱାରା  ‘ଷ୍ଟେଟ୍‌ ଅଫ୍‌ ଦି ଓ୍ବାଲ୍ଡ୍‌ ଚିଲଡ୍ରେନ୍‌’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ପୃଥିବୀରେ ୮୦ କୋଟି ଲୋକ ଖାଦ୍ୟ ଅଭାବରୁ ପ୍ରତିଦିନ ଭୋକିଲା ରହିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଦିନକୁ ଦୁଇବେଳା ଖାଦ୍ୟ ମିଳିବା କଷ୍ଟକର ହୋଇପଡୁଛି। ସେହିପରି ୫ ବର୍ଷରୁ କମ୍‌ ବୟସ୍କ ମୋଟ ୭୦ କୋଟି ଶିଶୁଙ୍କ ମଧ୍ୟରୁ ଏକ ତୃତୀୟାଶଂ କୁପୋଷଣ ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପଡୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ୧୯୯୯ରେ ପୃଥିବୀର ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୁପୋଷଣର ଶିକାର ହୋଇଥିବାବେଳେ ୨୦୧୫ ବେଳକୁ ସ୍ଥିତିରେ ସୁଧାର ହୋଇଥିବା ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ୧୪ କୋଟି ୯୦ ଲକ୍ଷ ୪ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ଶାରୀରିକ ବିକାଶ ବୟସ ଅନୁପାତରେ ଠିକ୍‌ ଭାବେ ହୋଇ ପାରି ନାହିଁ। ବିଭିନ୍ନ ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ, ସାମ୍ପ୍ରଦାୟିକ ହିଂସା ଯୋଗୁ ଲୋକେ ହନ୍ତସନ୍ତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share