Categories: ଗଞ୍ଜାମ

ପୃଥକ୍‌ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ଜଣେ ଅଟକ

ଭଞ୍ଜନଗର,୨୧।୯(ଡି.ଏନ.ଏ.)-ଯେତେ କଠୋର ଆଇନ ପ୍ରଣୟନ କରାଗଲେ ମଧ୍ୟ ନାବାଳିକାଙ୍କ ପ୍ରତି ଅସଦାଚରଣ ଘଟଣା ବନ୍ଦ ହେଉନହିଁ। ପୃଥକ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରାଯାଇଥିବା ନେଇ ଶୁକ୍ରବାର ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି। ନାବାଳିକାଦ୍ୱୟଙ୍କ ଅଭିଭାବକଙ୍କ ଏତଲାକୁ ଭିତ୍ତିକରି ପୋଲିସ ୨ ମାମଲା ରୁଜୁ କରିଛି। ଗୋଟିଏ ମାମଲାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଗୋଟିଏ ଦିନରେ ୨ଟି ଏପରି ଅଭିଯୋଗକୁ ନେଇ ପୋଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି । ପ୍ରକାଶଯେ, ଜଣେ ଅଟୋ ଚାଳକ ୫ ବର୍ଷୀୟା ଛାତ୍ରୀକୁ ବିଦ୍ୟାଳୟ ନେବା ବେଳେ କିଛିଦିନ ପୂର୍ବେ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏତଲା ରଖି ଘଟଣାର ତଦନ୍ତ ଚଳାଇଛି ।
ଅଭିଯୁକ୍ତ ଅଟୋ ଚାଳକ ଭଞ୍ଜନଗର ଅଟୋ ଚାଳକ ସଂଘର ସଭ୍ୟ ନୁହଁନ୍ତି। ସେହିପରି ଆଉ ଏକ ୧୧ ବର୍ଷର ନାବାଳିକାଙ୍କୁ ଅନ୍ୟ ଏକ ସ୍ଥାନରେ ଜଣେ ଅଭିଯୁକ୍ତ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏନେଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ ।