ପୂର୍ବ ଶତ୍ରୁତାରୁ ମୂକ ବ୍ୟକ୍ତିଙ୍କୁ ଛୁରାମାଡ଼: ଅଭିଯୁକ୍ତ ପୁଅ ଗିରଫ, ମା’ ଫେରାର

କଟକ ଅଫିସ,୨୮ା୧୨: ମାଲଗୋଦାମ ଥାନା ଅନ୍ତର୍ଗତ ସମାଧିପାଟଣମ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମୂକ ବ୍ୟକ୍ତିଙ୍କୁ ରାଜୁ ନାୟକ (୩୦) ଓ ତାଙ୍କ ମା’ ତୁଳସୀ ନାୟକ(୫୦) ଛୁରା ମାଡ଼ କରିଛନ୍ତି। ଏଥିରେ ସମ୍ପୃକ୍ତ ମୂକ ବ୍ୟକ୍ତି ସନିଆ ନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସନିଆଙ୍କ ଭଉଣୀ କାଞ୍ଚନ ନାୟକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ କେସ୍‌ (ନଂ. ୨୬୦/୧୯) ରୁଜୁ କରି ଅଭିଯୁକ୍ତ ରାଜୁଙ୍କୁ ଗିରଫ କରିଥିବାବେଳେ ତାଙ୍କ ମା’ ତୁଳସୀ ଫେରାର ଅଛନ୍ତି। ଶନିବାର ରାଜୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ସନିଆଙ୍କ ସହ ରାଜୁ ଓ ତାଙ୍କ ମା’ଙ୍କର ପୂର୍ବରୁୁ ବିବାଦ ସୃଷ୍ଟି ହୋଇ ଶତ୍ରୁତା ଲାଗିରହିଥିଲା। ରାଜୁ ଅନେକ ସମୟରେ ମଦ ପିଇ ସନିଆଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଧମକାଉଥିଲେ। ଶୁକ୍ରବାର ପୁଣି ଥରେ କୌଣସି କାରଣକୁ ନେଇ ଉଭୟ ମା’, ପୁଅ ସନିଆଙ୍କ ସହ କଳି କରିଥିଲେ। ସନିଆ ଏହାକୁ ବିରୋଧ କରିବାରୁ ଉଭୟ ରାଜୁ ଓ ତୁଳସୀ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ସନିଆ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।