Categories: ଗଞ୍ଜାମ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ: ୬ କୋର୍ଟଚାଲାଣ

ଗୋପାଳପୁର,୩୧ା୫-ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ରବିବାର ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧର କେ.ବୈରାଗୀ ଓ ଉକ୍ତ ଗ୍ରାମର ଏସ.ଧନରାଜଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। କୌଣସି ଏକ ବିଷୟକୁ ନେଇ ଶୁକ୍ରବାର ରାତି ୧୦ଟାରେ ଧନରାଜ ଓ କିଛି ବ୍ୟକ୍ତି ମିଶି ଉକ୍ତ ଗ୍ରାମର କେ.ମାଧେୟାଙ୍କ ଘର ନିକଟକୁ ଯାଇଥିଲେ। କୌଣସି ଏକ କଥାକୁ ନେଇ ଧନରାଜ ଓ ମାଧେୟାଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ରରୁପ ଧାରଣ କରିଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇ ଉକ୍ତ ଗ୍ରାମର କେ.ଆପେୟା, ଏସ.ବୈରାଗୀ, ଏସ.ରାଜେଶ, ଜେ.କାର୍ଲେୟା ଓ ଜେ.ଜାଡ଼ୁ ଆହତ ହୋଇଥିଲେ। ଶନିବାର ମାଧେୟା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ କେସ ନଂ. ୭୪/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ରବିବାର ପୂର୍ବାହ୍ନରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଗ୍ରାମରେ ବୁଲୁଥିବାବେଳେ ଖବରପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟପୋଲିସ ଅଧିକାରୀ ଗ୍ରାମରେ ଅତର୍କିତ ଚଢାଉ କରି ଏସ.ଧନରାଜ, ଏସ.ଚନ୍ଦ୍ରେୟା, ଜେ. ରାଜକୁମାର, ଏନ.ମୁସେୟା, ଜେ.ରାମେୟା ଓ ଏସ. ମଧୁଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରିଥିଲେ। ଉକ୍ତ ଘଟଣାରେ ଅନ୍ୟକୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲୁ ରହିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି।