ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ ବଡ଼ବିଲ ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ନିର୍ଭୀକ ଆଦିବାସୀ ନେତା ଭାବରେ ପରିଚିତ ସହରାଇ ବିଜେଡି ଗଠନରେ ପ୍ରମୁଖ ଭୂମିକା ନେଇଥିଲେ।
ସହରାଇଙ୍କ ନିଜ ଘର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂସେଇକଳା ପଞ୍ଚାୟତ ନାରାୟଣପୁର ସ୍ଥିତ କିତିରିମିଳା ଗ୍ରାମରେ। ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୩ ଥର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ମତ୍ସ୍ୟ ବିଭାଗ ମନ୍ତ୍ରୀ, ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଉପ ଖଣି ବିଭାଗ ମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସହରାଇଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।