ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ: ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗତ ନିର୍ବାଚନରେ ହାରିବା ସତ୍ତ୍ୱେ ଅନେକ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡୁ ନାହାନ୍ତି। ବାରମ୍ବାର ନୋଟିସ ଦେବା ପରେ ମଧ୍ୟ କୌଣସି ଫରକ ପଡୁନାହିଁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ୩ଦିନ ମଧ୍ୟରେ ସରକାରୀ କ୍ୱାର୍ଟର୍ସ ଛାଡିବାକୁ ପୂର୍ବତନ ବିଧାୟକମାନଙ୍କୁ ଚରମବାଣୀ ଶୁଣାଇଛନ୍ତି। କିଛିଦିନ ତଳେ ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ କ୍ୱାର୍ଟର୍ସ ଛାଡିବାକୁ ନୋଟିସ ଜାରି କରିଥିଲେ। ସେହି କ୍ୱାର୍ଟର୍ସଗୁଡିକରୁ ପାଣି ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକେ ଏ ପର୍ଯ୍ୟନ୍ତ କ୍ୱାର୍ଟର୍ସ ହସ୍ତାନ୍ତର କରିନାହାନ୍ତି।

ବିଧାୟକ କଲୋନୀରେ ବହୁତଳ ଅଟ୍ଟାଳିକା ନିର୍ମାଣ କରିବାକୁ ଉଭୟ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କୁ ଅନ୍ୟତ୍ର କ୍ୱାର୍ଟର୍ସ ପ୍ରଦାନ କରାଯିବ। ନୋଟିସ ଦେବା ପରେ ମଧ୍ୟ କେତେ ଜଣ ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡୁ ନାହାନ୍ତି ବୋଲି ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି। ବିଧାୟକ କଲୋନୀର ଅଧା କ୍ୱାର୍ଟର୍ସ ଭଙ୍ଗାଯାଇ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ ହେବ। ୪୦୦ କୋଟି ଟଙ୍କାରେ ପ୍ରାୟ ୧୪୦ ୟୁନିଟ ତିଆରି ହେବ। ନୂଆ ଆପାର୍ଟମେଣ୍ଟ ହେବା ପରେ ବିଧାୟକମାନଙ୍କର ବାସଗୃହ ସମସ୍ୟା ଦୂର ହୋଇପାରିବ। ଆପାର୍ଟମେଣ୍ଟଗୁଡିକରେ କମ୍ୟୁନିଟି ହଲ୍‌ଠାରୁ ଆରମ୍ଭକରି କଲ୍ୟାଣମଣ୍ଡପ, ଜିମ୍‌ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ବୋଲି ପାତ୍ର କହିଛନ୍ତି। ୨୬ ଜଣ ପୂର୍ବତନ ବିଧାୟକ ଏ ପର୍ଯ୍ୟନ୍ତ କ୍ୱାର୍ଟର୍ସ ଛାଡି ନ ଥିବା ଜଣାପଡ଼ିଛି।