Categories: ଗଞ୍ଜାମ

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ବଡବଜାର ଥାନା ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ରାତିପ୍ରାୟ ୧୧ଟା ବେଳେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ ଗୌରବଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ପଥରରେ ଛେଚି ଚିଙ୍କୁଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ମୁଣ୍ଡରେ ୩୫ଟି ସିଲେଇ ପଡିଥିବା ବାପା କୃଷ୍ଣ ସୂଚନା ଦେଇଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଅନ୍ୟପଟେ ମଦ ପିଇବାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳର ସମାଧାନ ପାଇଁ ଡାକି ଚିଙ୍କୁଙ୍କୁ ଏଭଳି ଘାତକ ଆକ୍ରମଣ କରିଥିଲେ। ଏଥିରେ ନାବାଳକମାନେ ସାମିଲ ଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କୃଷ୍ଣଙ୍କର ସାନବଜର ଛକରେ ଏକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି। ମଙ୍ଗଳବାର କେତେଜଣ ଯୁବକ ସେଠାକୁ ମଦ ପିଇବାକୁ ଯାଇଥିଲେ। ପରେ କାଉଣ୍ଟରରେ ପଇସା ନ ଦେଇ ଗଣ୍ଡଗୋଳ କରିଥିଲେ। ଖବର ପାଇ କୃଷ୍ଣଙ୍କ ପୁଅ ଦୋକାନକୁ ଆସି ମ୍ୟାନେଜରଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପରେ ସୀତାଢ଼ିମ୍ବିରା ସାହିର ଜଣେ ଯୁବକ ଘଟଣାର ସମାଧାନ କରିବା ପାଇଁ ଚିଙ୍କୁଙ୍କୁ ସାହିକୁ ଡାକିଥିଲେ। ଚିଙ୍କୁ ଓ ତାଙ୍କର ଜଣେ ସାଙ୍ଗ ପହଞ୍ଚିଥିଲେ। ଯୋଜନାବଦ୍ଧ ଭାବେ ସେଠାରେ ଥିବା ୧୦/୧୫ ଜଣ ଯୁବକ ଚିଙ୍କୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ତଳେ ପଡିଯିବାରୁ ଅପରାଧୀମାନେ ଚିଙ୍କୁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲେ। ଚିଙ୍କୁ ସାଙ୍ଗ ଏହାର ପ୍ରତିବାଦ କରିବାରୁ ଆପରାଧିମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପୋଲିସ ନଂ.୧୩୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।