ପୂରଣ ହେଲା ୨ ଗ୍ରାମବାସୀଙ୍କ ସ୍ବପ୍ନ : ନିର୍ମାଣ ହେବ ଅଲିପୁର-ପାଇକାଳପୁର ରାସ୍ତା

ଖଇରା,୧୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରଡାଙ୍ଗ ଓ ଝିଙ୍କିରିଆ ୨ ପଞ୍ଚାୟତକୁ ସଂଯୋଗ କରୁଥିବା ଅଲିପୁର-ପାଇକାଳପୁର ରାସ୍ତା ସ୍ବାଧୀନତା ପର ଠାରୁ ଅବହେଳିତ ହୋଇ ରହିଥିଲା। ବର୍ଷା ଦିନେ ପଥରକଟା ଓ କାଂଶବାଂଶ ନଦୀର ଜଳ ଜମି ରହୁଥିବା କାରଣରୁ ଯାତାୟାତ ବନ୍ଦ ରହୁଥିଲା। ନଦୀରେ ପୋଲଟିଏ ଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନ ଥିବାରୁ ବର୍ଷାଋତୁରେ ପୋଲ କିଛି କାମରେ ଆସୁ ନ ଥିଲା। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ଅଭିଯୋଗ କରିବା ଏକପ୍ରକାର ବନ୍ଦ କରିଦେଇଥିଲେ। ଏବେ ମହାତ୍ମା ଗାନ୍ଧୀ ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌୍‌ଇଜିଏସ୍‌) ରେ ଏହି ରାସ୍ତା ନିର୍ମାଣର ଫଳକ ପୋତାଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ବୁଧବାର ପୂର୍ବାହ୍ନରେ ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତା ସରପଞ୍ଚ ହରିହର କୁଣ୍ଡୁଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୱାର୍ଡସଭ୍ୟ ସୁରେନ୍ଦ୍ର ଦଳେଇ, ବିଜେଡି ନେତା ଦିଲୀପ କୁମାର ତ୍ରିପାଠୀ ଓ ଅନ୍ୟ ଗ୍ରାମବାସୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁନା ପଣ୍ଡାଙ୍କ ଦ୍ୱାରା ଭୂମି ପୂଜନ କରାଯାଇଥିଲା। ଅଞ୍ଚଳବାସୀଙ୍କ ଆଶା ପୂରଣ ହୋଇଥିବାରୁ ସରପଞ୍ଚ କୁଣ୍ଡୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।