ପୂଜାରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଖୋର୍ଦ୍ଧା ପୋଲିସର କଟକଣା, ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨ା୧୦: ଦଶହରା ଏବଂ ଗଜଲକ୍ଷ୍ମୀ ପୂଜାରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖୋର୍ଦ୍ଧା ପୋଲିସ ଜିଲାର ମୁୁଖ୍ୟାଳୟରେ ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ଟେଷ୍ଟ କରାଯାଇଛି। ପ୍ରଦୂଷଣ ବିଭାଗର ଜୁନିୟର ସାଇଣ୍ଟିଫିକ୍‌ ଅଧିକାରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍‌ ଡିଜେ ମାଲିକଙ୍କ ନୂଆ ଏବଂ ପୁରୁଣା ସାଉଣ୍ଡ ଲିମିଟରକ ପରୀକ୍ଷଣ କରିଛନ୍ତି। ରିପୋର୍ଟ ଜଣା ପଡିବା ପରେ ସଠିକ ସାଉଣ୍ଡ ଲିମିଟର ତାଲିକା ଖୋର୍ଦ୍ଧା ଏସ୍‌ପିଙ୍କୁ ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଡିଜେ ବଜାଇବାର ଅନୁମତି ମିଳିବ ବୋଲି ପ୍ରଦୁଷଣ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ୧୨ଶହ ଓ୍ବାଟ୍‌ ବିଶିଷ୍ଠ ୪ଟି ଟପ୍‌ ବକ୍ସ ଏବଂ ୨ଟି ବେସ୍‌ ବକ୍ସ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ବିନା ସାଉଣ୍ଡ ଲିମିଟର ମେଶିନ ସଂଯୋଗରେ ବକ୍ସ ବଜାଇ ପାରିବେ ନାହିଁ ବୋଲି ଉପସ୍ଥିତ ଥିବା ଡିଜେ ମାଲିକ ମାନଙ୍କୁ ଅବଗତ କରାଯାଇଛି। ସାଉଣ୍ଡ ପର୍‌ମିଶନ ଉପଜିଲାପାଳ କାର୍ଯ୍ୟାଳୟକୁ ଓ ନୋ ଅବଜେକସନ୍‌ ସାର୍ଟିଫିକେଟ ଥାନାରୁ ମିଳିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଡିଜେ ଯନ୍ତ୍ର ବ୍ୟବହାର ଉପରେ ଜିଲା ପୋଲିସ କଟକଣା ଜାରି କରିଛି। ମଙ୍ଗଳବାର ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ଉଚ୍ଚ ସ୍ତରିୟ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ହାଇକୋର୍ଟର ଗାଇଡ ଲାଇନ ମୁତାବକ ଡିଜେକୁ ସମ୍ପୂର୍ଣ୍ଣ ଭାବେ ନିଷିଧ କରିବା ସହିତ ୬୫ ଡିସିବେଲର ଧ୍ୱନି ମଧ୍ୟରେ ମାଇକ୍‌ ଆଣ୍ଡ ସାଉଣ୍ଡର ବ୍ୟବହାର କରିବାକୁ ଏସ୍‌ପି କଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ବିଭିନ୍ନ ଥାନାର ଆଇଆଇସିକୁ ନିର୍ଦ୍ଦେଶ ରହିଛି । ଏପରିକି ଆଇନ୍‌ ଭଙ୍ଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଡିଜେ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି।