Categories: ଜାତୀୟ

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୮।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଅବନ୍ତିପୋରା ଅଞ୍ଚଳର ପଞ୍ଚ୍‌ଗାଓ୍ବଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଶୌକତ ଅହମ୍ମଦ ବୋଲି କୁହାଯାଉଛି। ଏଠାରେ ସିଆରପିଏଫ୍‌ ୧୩୦ ବାଟାଲିୟନ୍‌, ଆର୍‌ଆର୍‌ ୫୫ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଏନକାଉଣ୍ଟର ପରେ ସୁରକ୍ଷା ଦୃଷ୍ଟିରୁ ଏଠାରେ ସାମୟିକ କଫ୍ୟୁ ଲାଗୁ କରାଯାଇଛି। ଅନନ୍ତନାଗରେ ମଧ୍ୟ ସର୍ଚ୍ଚ ଅପରେଶନ ଜାରି ରହିଥିବା କୁହାଯାଉଛି।

Share