ପୁରୀ ସହରରେ ବୁଲା କୁକରଙ୍କ ଦୌରାତ୍ମ୍ୟ: ୩୫୦ କୁକୁରଙ୍କର ହେଲା ବନ୍ଧ୍ୟାକରଣ

ପୁରୀ ଅଫିସ, ୨୩ା୧୦: ପୁରୀ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଏଥିସହ ଏମାନଙ୍କ ଦୌରାତ୍ମ୍ୟ ମଧ୍ୟ ବଢୁଛି। ୨୦୧୨ରେ ହୋଇଥିବା ପଶୁ ଗଣନା ଅନୁଯାୟୀ, ବର୍ତ୍ତମାନ ପୁରୀ ସହର ଏବଂ ଏହାର ଉପକଣ୍ଠରେ ପ୍ରାୟ ୭,୦୦୦ରୁ ଊର୍ଦ୍ଧ୍ୱ ବୁଲା କୁକୁର ରହିଛନ୍ତି। ଫଳରେ ଏମାନଙ୍କ ଯୋଗୁ ଦୁର୍ଘଟଣା ଏବଂ କୁକୁର କାମୁଡା ସଂଖ୍ୟା ବି ବଢିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୦ ଦିନରେ ୩୫୦ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ଜଣାପଡିଛି।
ଜିଲା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ପିପିଲିସ୍ଥିତ ଘାସ ଫାର୍ମ ପରିସରରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରାଯାଇଛି। କଲିକତାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଏ-୧ ଆନିମଲ୍‌ସ କମ୍‌ ଫାଷ୍ଟ ସହାୟତାରେ ଗତ ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ୨୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏହି ସମୟ ମଧ୍ୟରେ ୩୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିବା ସତ୍ୟବାଦୀ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ବେହେରା କହିଛନ୍ତି।