ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି ବେଶ୍‌ ଖୁସି ହୋଇଥିଲେ। ସକାଳ ପ୍ରାୟ ୯ଟା ସମୟରେ ମଙ୍ଗଳା ମୁହାଣ ପଟୁ ୩ଟି ଡଲ୍‌ଫିନ ସ୍ବର୍ଗଦ୍ୱାର ଆଡକୁ ଯାଉଥିଲେ। ଫଳରେ ବେଳାଭୂମିରେ ବୁଲୁଥିବା ପର୍ଯ୍ୟଟକମାନେ ଅତି ନିକଟରୁ ଡଲ୍‌ଫିନଙ୍କୁ ଦେଖିଥିଲେ । ଏହି ସମୟରେ ଲାଇଟ୍‌ ହାଉସ୍‌ ସମ୍ମୁଖ ବେଳାଭୂମିରେ ବସିଥିବା କାହ୍ନୁ ଦାସ କହିଥିଲେ, ପୂର୍ବରୁ ସେ ଅନେକଥର ପୁରୀ ବେଳାଭୂମି ଆସିଛନ୍ତି। ହେଲେ କେବେ ଡଲ୍‌ଫିନ ଦେଖି ନ ଥିଲେ। ମାତ୍ର ବୁଧବାର ସକାଳେ ବେଳାଭୂମିରେ ବସିଥିବାବେଳେ ଅଳ୍ପ ଦୂରରେ ଡଲ୍‌ଫିନ ପହଁରି ଯାଉଥିବା ଦେଖିଥିଲି। ବେଳେ ବେଳେ ଏହି ଡଲ୍‌ଫିନ ଉପରକୁ ମଧ୍ୟ ଉଠୁଥିଲେ ବୋଲି ସେ କହିଛନ୍ତି। କେବଳ କାହ୍ନୁ ନୁହଁନ୍ତି, ଅନେକ ପର୍ଯ୍ୟଟକ ଏହି ଡଲ୍‌ଫିନଙ୍କୁ ଦେଖିଥିଲେ ।
ସୂଚନାଥାଉ କି, ଗତ ଜାନୁୟାରୀ ୧୮ ତାରିଖରେ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଡଲ୍‌ଫିନ ଗଣନା କରାଯାଇଥିଲା। ଅସ୍ତରଙ୍ଗର ଦେବୀ ମୁହାଣଠାରୁ ବ୍ରହ୍ମଗିରି ଅରଖକୁଦା ମୁହାଣ ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଏଥିପାଇଁ ୧୦ଟି ଟିମ୍‌ ଗଠନ କରାଯାଇଥିଲା। ଗଣନାକାରୀ ୭ଟି ଡଲ୍‌ଫିନ ଦେଖିଥିଲେ। ଏଥିମଧ୍ୟରେ ୫ଟି ବଟଲନୋଜ ଏବଂ ୨ଟି ଇରାୱାଡ଼ି ଡଲ୍‌ଫିନ ରହିଥିଲେ। ଦେବୀ ମୁହାଣରୁ ଚନ୍ଦ୍ରଭାଗା ମଧ୍ୟରେ ୫ଟି ବଟଲନୋଜ ଏବଂ କଅଁରପୁରରୁ କେଳୁଣୀ ମୁହାଣ ମଧ୍ୟରେ ୨ଟି ଇରାୱାଡ଼ି ଡଲ୍‌ଫିନ ଦେଖାଯାଇଥିଲା। ତେବେ ପୁରୀ ଉପକୂଳରେ ଡଲ୍‌ଫିନ ପ୍ରାୟତଃ ଦେଖାଯାଉ ନ ଥିବାବେଳେ ବୁଧବାର ୩ଟି ଡଲ୍‌ଫିନ ଦେଖାଯିବା ନିଶ୍ଚିତ ପର୍ଯ୍ୟଟକଙ୍କ ପାଇଁ ଖୁସିର ବିଷୟ ବୋଲି କୁହାଯାଉଛି।