ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୦।୧୦: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗୁରୁବାର ଜଣେ ମହିଳା ଭାସି ଯାଇଥିଲେ। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍‌ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କ ହେଲେ ଭଦ୍ରକ ଜିଲା ତିହିଡ଼ିର ଲୀଳାବତୀ ସାହୁ।

ସକାଳେ ଲୀଳାବତୀ ପରିବାର ସହ ସମୁଦ୍ରକୂଳରେ ଛିଡ଼ା ହୋଇଥିବା ବେଳେ ଏକ ଉଚ୍ଚ ଲହଡ଼ି ଆସିଥିଲା। ଏଥିରେ ସେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଲାଇଫ ଗାର୍ଡ ଜି. ଚକ୍ରଧର ଏବଂ କେ. ଅଜିତ୍‌ ଟ୍ୟୁବ୍‌ ସାହାଯ୍ୟରେ ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଛି। ଗତ କିଛି ଦିନ ହେବ ପୁରୀ ସମୁଦ୍ରରେ ରିପ୍‌ କରେଣ୍ଟ ସୃଷ୍ଟି ହେଉଥିବାରୁ ଏଭଳି ଅଘଟଣ ଘଟିଥିବା ଲାଇଫ୍‌ ଗାର୍ଡ କହିଛନ୍ତି।