ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ଚୋରା କେନ୍ଦୁପତ୍ର ଜବତ

ରେଢ଼ାଖୋଲ,୮।୧୦(ଡି.ଏନ୍‌.ଏ.): ପୁରୀ-ରାଉରକେଲା ଯାତ୍ରୀବାହୀ ଟ୍ରେନ୍‌ରୁ ମଙ୍ଗଳବାର ଅପରାହ୍ନରେ ରେଢ଼ାଖୋଲ ରେଳବାଇ ପୋଲିସ ଚଢ଼ାଉ କରି ଚାଲାଣ ହେଉଥିବା ୧୮ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି। ତେବେ ଏ ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ସୂଚନା ମିଳିଛି। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୨୦ହଜାର ହେବ ବୋଲି ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ପୁରୀରୁ ରାଉରକେଲା ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌(ନଂ-୫୮୧୩୨)ରେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ନେଇ ରେଢ଼ାଖୋଲ ପୋଲିସ ସୂଚନା ପାଇଥିଲା। ଟ୍ରେନ୍‌ଟି ରେଢ଼ାଖୋଲ ଷ୍ଟେଶନରେ ପହଞ୍ଚିବା ପରେ ଆର୍‌ପିଏଫ୍‌ ଇନ୍‌ସପେକ୍ଟର ବିବେକ କୁମାର, କନଷ୍ଟେବଳ ସୁଶିଲ କୁମାର ପ୍ରଧାନ ପ୍ରମୁଖ ସଦଳବଳେ ଚଢ଼ାଉ କରି ଏକ ବଗିରୁ ଚୋରା କେନ୍ଦୁପତ୍ରକୁ ଜବତ କରିଥିଲେ।