ପୁରୀ ପୋଲିସକୁ ଅପରାଧୀଙ୍କ ଚାଲେଞ୍ଜ: ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିଲେ

ପୁରୀ ଅଫିସ, ୬।୧୦: ପାର୍ବଣ ପୂର୍ବରୁ ପୁରୀ ହେବ ଅପରାଧମୁକ୍ତ। ପୁରୀ ସହରରେ ହେବ ଅପରାଧ କ୍ଲିନ ଡ୍ରାଇଭ ଅପରେଶନ ଏଭଳି ଯୋଜନା କରିଥିଲା ପୁରୀ ପୋଲିସ। ମାତ୍ର ପୋଲିସକୁ ଖାତିର ନ କରି ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି ଅପରାଧୀ। ଦାଦାବଟି ନ ଦେବାରୁ ୩ଜଣ ଯୁବକ ଶନିବାର ଘରେ ପଶି ଦମ୍ପତିଙ୍କୁ ହାଣିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତି ହେଲେ ଶରତ ଚନ୍ଦ୍ର ମିଶ୍ର ଏବଂ ସୁସ୍ମିତା ରଥ। ଶନିବାର ଅପରାହ୍ନ ସାଢେ ୪ଟା ସମୟରେ ସଦର ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଗୋଲାସାହିରେ ଏହି ଘଟଣା ଘଟିଛି। ଏନେଇ ସଦର ଥାନାରେ ଶରତ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତି ପୋଲିସ ହେଲ୍‌ପ ଲାଇନ ନଂ ୧୦୦କୁ ଡାଏଲ କରିଥିଲେ। ତିନିଥର ଫୋନ୍‌ ରିଙ୍ଗ ହୋଇଥିବାବେଳେ କେହି ରିସିଭ କରି ନ ଥିଲେ। ଚତୁର୍ଥ ଥର କଲ ରିସିଭ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଓଲଟି ୧୦୮ ଆମ୍ବୁଲାନ୍ସକୁ କଲ କରି ମେଡିକାଲକୁ ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଥିଲା। ପରେ ଘଟଣା କ’ଣ ହୋଇଛି ଦେଖିବା କହି ଫୋନ କାଟି ଦେଇଥିଲେ ବୋଲି ଦମ୍ପତି ଗଣମାଧ୍ୟମ ଆଗରେ କହିଛନ୍ତି। ବାସେଳି ସାହି ଓ ସଦର ଥାନା ପୋଲିସ ମେଡିକାଲରେ ପହଞ୍ଚତ୍ ଦମ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ଅପରାହ୍ନରେ ଶରତ ଘରେ ବସି ଟିଭି ଦେଖୁଥିଲେ। ସୁସ୍ମିତା ରୋଷେଇ କରୁଥିଲେ। ଏହି ସମୟରେ ୩ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ମୁହଁରେ କପଡା ବାନ୍ଧି ଘରେ ପଶିଥିଲେ। ଶରତଙ୍କୁ ୨୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସେ ଦେବାକୁ ମନା କରିବାରୁ ଖଣ୍ଡାରେ ମୁଣ୍ଡକୁ ଚୋଟ ପକାଇବା ବେଳେ ସେ ବାମହାତ ଦେଖାଇଦେଇଥିଲେ। ପରେ ସେ ତଳେ ପଡିଯିବା ପରେ ତାଙ୍କ ଦୁଇହାତକୁ ଚୋଟ ପରେ ଚୋଟ ମାରିଥିଲେ। ଚିତ୍କାର ଶୁଣି ସସ୍ମିତା ଦୌଡି ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ଦୁଇ ହାତକୁ ମାରଣାସ୍ତ୍ରରେ ହାଣିଥିଲେ। ପରେ ଘରେ ଥିବା ସମସ୍ତ ଆସବାବପତ୍ର ଫିଙ୍ଗାଫୋଫଡା କରି ଚାଲିଯାଇଥିଲେ। ବଟି ନ ଦେଲେ, ଦମ୍ପତିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ ବୋଲି ଶରତ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ସଦର ଥାନାଧିକାରୀ ଦେବାଶିଷ ମିଶ୍ର କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ। ପୋଲିସ ହେଲ୍‌ପ ଲାଇନ ନମ୍ବରରେ ଫୋନ କରିବା ପରେ କୌଣସି ସହଯୋଗ ନ ମିଳିବା ଅଭିଯୋଗ ନେଇ ଏସ୍‌ପି ଉମାଶଙ୍କର ଦାଶ କୁହନ୍ତି, ସେଭଳି କୌଣସି ଅଭିଯୋଗ ମୋର ହସ୍ତଗତ ହୋଇନି। ଅଭିଯୋଗ ହେଲେ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।