ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୃତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ସାଲାଇନ

ପୁରୀ ଅଫିସ,୩।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ମୃତ ବ୍ୟକ୍ତିଙ୍କଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ ଚାଲିଥିବା ଅଭିଯୋଗ ଆସିଛି। ଚିକିତ୍ସାରେ ଅବହେଳା ନେଇ ପରିବାର ଲୋକେ ମଙ୍ଗଳବାର ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି।
ସୂଚନାଯୋଗ୍ୟ, ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ମନୋରଞ୍ଜନ ଦୀକ୍ଷିତ(୫୫)ଙ୍କ ରକ୍ତଚାପ ବୃଦ୍ଧି ଯୋଗୁ ଡିଏଚ୍‌ଏଚ୍‌ରେ ଭୋର ସାଢ଼େ ୩ଟାରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସକାଳ ସମୟରେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ଡାକ୍ତରଙ୍କୁ ଡାକିବାକୁ ନର୍ସଙ୍କୁ ଅନୁରୋଧ କରିଥିଲେ। ନର୍ସ ତାଙ୍କୁ ସାଲାଇନ ଦେଇ ଚାଲିଯାଇଥିଲେ। ସାଲାଇନ ଚାଲିଥିବା ବେଳେ ତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। ତେବେ ଡାକ୍ତର ଆସି ନ ଥିଲେ। ପରେ ଏକ ଘଣ୍ଟା ବିଳମ୍ବରେ ଡାକ୍ତର ଆସିଥିଲେ। ଡାକ୍ତରଙ୍କ ସହ ଯୋଗାଯୋଗ କରିବା ବେଳେ ଘଣ୍ଟାକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସେ ପରିବାର ଲୋକଙ୍କୁ କହିଥିଲେ। ତେବେ ମୃତ ବ୍ୟକ୍ତିଙ୍କୁ କିପରି ଏକ ଘଣ୍ଟା ଧରି ସାଲାଇନ ଦିଆଯାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ନର୍ସ ତାଙ୍କ ସାଲାଇନ ଖୋଲିଦେଇଥିଲେ ବୋଲି କହିଛନ୍ତି। ଏନେଇ ସଂପୃକ୍ତ ଏଡିଏମଓ(ମେଡିକାଲ)ଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସେ କୌଣସି ଅଭିଯୋଗ ଗ୍ରହଣ କରିନଥିଲେ। ଏଡିଏମଓଙ୍କ ସହ ଆଲୋଚନା କରୁଥିବା ବେଳେ ମେଡିକାଲ ଫାଣ୍ଡିର ଜନୈକ କନଷ୍ଟେବଲ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। ପରିବାରଙ୍କୁ ତାଙ୍କ ମୃତ୍ୟୁ ଘୋଷଣା ସମ୍ପର୍କରେ ଡାକ୍ତର ଜଣାଇ ନ ଥିବା ଅଭିଯୋଗ ହୋଇଛି।