ପୁରୀ ଜିଲା ନରେନ୍ଦ୍ର କୋଣ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପୁରୀ ଅଫିସ, ୧୮।୫: ପୁରୀ ଜିଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିରୁ ଜଣେ, କୋଣାର୍କ ଏନ୍‌ଏସିରୁ ଜଣେ ଏବେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ପୁରୀ ସହରରୁ ଚିହ୍ନଟ ଜଣେ ଯୁବକ ନରେନ୍ଦ୍ର କୋଣ ଅଞ୍ଚଳର ବୋଲି ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ତେବେ ପୁରୀ ସହରରୁ ଚିହ୍ନଟ ଯୁବକ ଏକ ଚୋରି ମାମଲାରେ କୁମ୍ଭାରପଡ଼ା ଥାନା ପୋଲିସ ଦ୍ୱାରା ଗିରଫହୋଇ କୋର୍ଟଚାଲାଣ ହୋଇଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ବାହାରିଛି। ତେଣୁ ନରେନ୍ଦ୍ର କୋଣ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଏହାର ଆଖପାଖ ଅଞ୍ଚଳକୁ ସାଇଟାଇଜ୍‌ କରାଯାଇଛି। ଏତଦ୍‌ବ୍ୟତିତ ସମ୍ପୃକ୍ତ ଯୁବକଙ୍କୁ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିବାରୁ ଜିଲା ଦୌରାଜଜ୍‌ଙ୍କ ଅଦାଲତକୁ ମଧ୍ୟ ବିଶୋଧନ କରାଯାଇଛି।