ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଖପୁରି

ପୁରୀ ଅଫିସ,୨୩ା୨: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ମଣିଷ ଖପୁରି। ଟାଉନ ହଲ୍‌ ପଟୁ ସାଇ ମନ୍ଦିର ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ଶନିବାର ୨ଟି ମଣିଷ ଖପୁରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଖପୁରି ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖ ରାସ୍ତା ଉପରେ ଏବଂ ଆଉ ଗୋଟିଏ ଶନି ମନ୍ଦିର ପଛପଟେ ଅଳିଆ ଗଦା ଭିତରେ ପଡ଼ିିଥିଲା। ଏହି ଖପୁରି ଦୁଇଟି କିପରି ଏଠାକୁ ଆସିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହେବା ସହ ଏକ ପ୍ରକାର ଭୟ ଛାଇଯାଇଛି। ଏହି ଖପୁରି ୨ଟି ଅତ୍ୟନ୍ତ ଛୋଟ। ଅର୍ଥାତ୍‌ କୌଣସି ଛୋଟ ପିଲାଙ୍କ ଖପୁରି ପରି ଲାଗୁଛି। ଖପୁରି ଏଠାକୁ ଆସିବା ନେଇ ନାନା ପ୍ରକାର ଆଲୋଚନା ଶୁଣିବାକୁ ମିଳୁଛି। କେହି କେହି ଗୁଣିଗାରେଡ଼ିିକୁ ଦିଗକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେହିପରି କୁକୁର ଅନ୍ୟ କେଉଁ ସ୍ଥାନରୁ ଖପୁରି ଆଣି ଏଠାରେ ପକାଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଏ ନେଇ ପୋଲିସ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ସୂଚନାଥାଉ କି, ପୁରୀ ସହରରେ ଖପୁରି ମିଳିବା ଘଟଣା ନୂଆ ନୁହେଁ। ୨୦୧୮ ସେପ୍ଟେମ୍ବର ୯ ତାରିଖରେ ପୁରୀ ଷ୍ଟେଶନ ରୋଡସ୍ଥିତ ମାତୃମଙ୍ଗଳ ଚିକିତ୍ସାଳୟ ପଛପଟୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ୭ଟି ମଣିଷ ଖପୁରି ମିଳିଥିଲା। ସେତେବେଳେ ଏହି ଘଟଣା ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ସମୁଦ୍ରକୂଳ ଥାନା ପୋଲିସ ଏହାର ତଦନ୍ତ କରିଥିଲା। ଗୁଣିଗାରେଡି ପାଇଁ କେହି ଖପୁରିଗୁଡିକ ଆଣି ଲୁଚାଇ ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଥିଲା।