ପୁରୀ ଗଣବଳାତ୍କାର ଘଟଣା: ଛାତ୍ର କଂଗ୍ରେସର ନବୀନ ନିବାସର ଘେରାଉ ଉଦ୍ୟମ; ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଭାଜପା ଏବଂ କଂଗ୍ରେସ। ଏହି କ୍ରମରେ ମଙ୍ଗଳବାର ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ହେଲେ ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ତେବେ ରାଜ୍ୟରେ ପ୍ରତିଦିନ ବଳାତ୍କାର ଘଟଣା ଘଟୁଛି। ନିମାପଡ଼ାର ଝିଅକୁ ପୁରୀରେ ବଳାତ୍କାର କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ନବୀନ ଯେବେଠାରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହାରାହାରି ଦୁଇ ହଜାର ଝିଅଙ୍କୁ ବଳାତ୍କାର କରାଯାଇଛି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ସୋମବାର ରାତିରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ନିଜକୁ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା କହିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀଙ୍କୁ ଗିରଫ କରିଛି। ସେହିଭଳି ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଏନେଇ ଥାନାରେ ଆଇପିସି ଦଫା ୩୭୬, ପୋକ୍‌ସୋ ଆକ୍ଟ ଅନୁଯାୟୀ କେସ୍‌ ନଂ.୩୦୮/୧୯ରେ ମାମଲା ରୁଜୁ କରାଯାଇଛି।